ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଶ୍ରଦ୍ଧାକର ଗର୍ତିଆ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ତେବେ ତାଙ୍କ ଅଫିସ କାର୍ଯ୍ୟାଳୟରେ କଳ୍ପନା ପଟେଲ ନାମକ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରା ପଡିଛନ୍ତି ଡାକ୍ତରବାବୁ । 2016 ମସିହାରେ ଏହି ସ୍ବାସ୍ଥ୍ୟକର୍ମୀ ହେମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବାବେଳେ କୌଣସି କାରଣ ଯୋଗୁଁ ଦୁଇ ଦିନ ଅନୁପସ୍ଥିତ ଥିଲେ । ଏନେଇ ସେ ଦୁଇ ଦିନର କାଜୁଆଲ ଲିଭ ମଞ୍ଜୁର କରିବାକୁ ସଂପୃକ୍ତ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ତେବେ ଡାକ୍ତର ବାବୁ ତାଙ୍କ କଥା ନ ଶୁଣିବାରୁ କଳ୍ପନା ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ । ହେଲେ ଡାକ୍ତର ଶ୍ରଦ୍ଧାକର ଗର୍ତିଆ ରେଗୁଲାରାଇଜ୍ କରିବା ପାଇଁ କଳ୍ପନାଙ୍କୁ 5 ହଜାର ଟଙ୍କା ଦାବି କରିଥିଲେ । ଏନେଇ କଳ୍ପନା ରାଉରକେଲା ଭିଜିଲାନ୍ସ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ।
ଶୁକ୍ରବାର ସେ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେଉଥିଲାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ତାଙ୍କୁ ରଙ୍ଗ ବୋଳା ଟଙ୍କା ସହ ଗିରଫ କରିଥିଲା । ତେବେ ଲାଞ୍ଚୁଆ ଡାକ୍ତର ଶ୍ରଦ୍ଧାକରଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ