ରାଉରକେଲା: ବିସ୍ଥାପିତ ହେବା ପରେ ନିଜର ନ୍ୟାର୍ଯ୍ୟ ଦାବିକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଲା 70 ମୌଜା ପରିବାର । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ଶହ ଶହ ବିସ୍ଥାପିତ । ୭୦ ମୌଜା ବିସ୍ଥାପିତ ପରିବାର ପକ୍ଷରୁ କିଛିଦିନ ପୂର୍ବରୁ ଘେରାଉ କରାଯାଇଥିବା ବେଳେ କୌଣସି ସଫଳ ମିଳିପାରି ନଥିଲା । ଫଳରେ ନିଜ ଦାବି ପୂରଣ ନେଇ ପୁଣି ଥରେ ଗତକାଲି ଧାରଣାରେ ବସିଥିଲେ ବିସ୍ଥାପିତ ପରିବାର ।
ବହୁବାର ଏହି ବିସ୍ଥାପିତ ପରିବାର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ସୁଦ୍ଧା ଏମାନଙ୍କ ଦାବି ଶୁଣିବାକୁ ନାରାଜ ପ୍ରଶାସନ । ବିସ୍ଥାପିତ ହେବା ପରେ ଚାକିରି ପାଇବା ପାଇଁ ବିସ୍ଥାପିତ ପରିବାର ଜିଲ୍ଲାପାଳ ଠାରୁ ଆରମ୍ଭ କରି ଆରଡିସିଙ୍କ ସହ ବୈଠକ କରିଥିଲେ । ସେଠାରେ ସମସ୍ତ ଦାବିରେ ସହମତି ପ୍ରକାଶ ପାଇଥିଲା କିନ୍ତୁ ଆଜି ଯାଏଁ ସହମତ ହୋଇଥିବା ଦାବି ପୂରଣ ହୋଇପାରିନାହିଁ । ତେଣୁ ବୁଧବାର ବିସ୍ଥାପିତ ପରିବାରଙ୍କୁ ଚାକିରି ଦିଆଯିବ ଦାବି କରି ୭୦ ମୌଜା ବିସ୍ଥାପିତ ପରିବାର ଧାରଣାରେ ବସିଥିଲେ ।
ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଇସ୍ପାତ କାରଖାନା ଏବଂ ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା । ଏହି ସମୟରେ ପ୍ରାୟ ୭୦ ମୌଜାର ଲୋକେ ବିସ୍ଥାପିତ ହୋଇଥିଲେ । କିନ୍ତୁ ଆଜି ଯାଏ ହିତାଧିକାରୀଙ୍କୁ ମିଳିପାରିନାହିଁ ଚାକିରିଟିଏ । ଫଳରେ ଚାକିରି ପାଇଁ ବିସ୍ଥାପିତଙ୍କ ମଧ୍ୟରେ ଥିବା ଯୁବକ ଯୁବତୀ ହନ୍ତସନ୍ତ ହେଉଛି । ଚାକିରି ସହ ବଳକା ଜମି ଫେରସ୍ତ କରିବା ପାଇଁ ମଧ୍ୟ ଗତକାଲି ଧାରଣା ଦେଇ ଦାବି ଜଣାଇଛନ୍ତି ବିସ୍ଥାପିତ ପରିବାର ।
ତେବେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଯେତେ ସମ୍ଭବ ବିସ୍ଥାପିତଙ୍କ ଦାବିକୁ ପୂରଣ କରାଯାଇ ସମସ୍ୟାର ସମାଧାନ କରାଯାଉ । ଉତ୍ତରାଞ୍ଚଳ ଆରଡିସି ମଧ୍ୟ ଶୁଣାଣି କରିଥିଲେ ଯେ 3722 ଜଣ ବିସ୍ଥାପିତଙ୍କୁ ଚାକିରି ପ୍ରଦାନ କରାଯିବ । କିନ୍ତୁ ଏହାରି ମଧ୍ୟରେ କୌଣସି ବିସ୍ଥାପିତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚାକିରି ଦିଆଯିବାର ବ୍ୟବସ୍ଥା ହୋଇପାରିନାହିଁ । ବରଂ ସମସ୍ତଙ୍କ ନାମ ପେଣ୍ଡିଂ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ୭୦ ମୌଜା ବିସ୍ଥାପିତ ପରିବାର ।
ଦାବି ପୂରଣ ପାଇଁ ବହୁ ବାର ୭୦ ମୌଜା ବିସ୍ଥାପିତ ପରିବାର ସଦସ୍ୟ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଥିବା ବେଳେ ଦାବି ପୂରଣ ନହେଲେ ପୁଣି ଥରେ ଧାରଣାରେ ବସିବେ ବୋଲି କହିଛନ୍ତି । ଯଥା ସମ୍ଭବ ବିସ୍ଥାପିତଙ୍କୁ ବଳକା ଜମି ଫେରସ୍ତ କରାଯାଉ ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି ସୁଯୋଗ ଦିଆଯାଉ ନଚେତ ଅଧିଗ୍ରହଣ ହୋଇଥିବା ଜମିକୁ ସମ୍ପୂର୍ଣ୍ଣ ଫେରସ୍ତ କରନ୍ତୁ ବୋଲି ଦାବି କରିଛନ୍ତି ବିସ୍ଥାପିତ ।
ଇଟିଭି ଭାରତ,ସୁନ୍ଦରଗଡ