ରାଉରକେଲା: ରାଉରକେଲାବାସୀଙ୍କ ପାଇଁ ଖୁସି ଖବର । ରାଉକେଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ସେପ୍ଟେମ୍ବର ୧ ତାରିଖରେ ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା । ବର୍ତ୍ତମାନ କେବଳ ରାଉରକେଲାରୁ ରାଜଧାନୀ ଭୁବନେଶ୍ବରକୁ ବିମାନସେବା ଜାରି ରହିଥିବା ବେଳେ ସେପ୍ଟେମ୍ବର ୧ରୁ କୋଲକାତାକୁ ବିମାନସେବା ଆରମ୍ଭ ହେବ । ଏଠାରୁ ଅନ୍ୟ ରାଜ୍ୟକୁ ବିମାନ ସେବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା ।
ସୂଚନାଯୋଗ୍ୟ ଏଟିଆର-୭୨ ବିମାନ କୋଲକାତାରୁ ପୂର୍ବାହ୍ନ ୧୧ଟା ୪୦ରେ ବାହାରି ଅପରାହ୍ନ ୧ଟା ୧୦ରେ ରାଉରକେଲାରେ ପହଞ୍ଚିବ । ପୁନଃ ଏହା ରାଉରକେଲାରୁ ଅପରାହ୍ନ ୧ଟା ୩୫ରେ ଉଡ଼ାଣ ଭରି ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ । ସେହିପରି ଏଟିଆର-୭୨ ବିମାନ ଭୁବନେଶ୍ଵରରୁ ଅପରାହ୍ନ ୨ଟା ୫୫ରେ ବାହାରି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ । ପରେ ଏହା ଅପରାହ୍ନ ୪ଟା ୧୫ରେ ରାଉରକେଲାରୁ ଉଡ଼ାଣ ଭରି ଅପରାହ୍ନ ୫ଟା ୪୫ରେ କୋଲକାତାରେ ପହଞ୍ଚିବ ।
ଏହା ମଧ୍ୟ ପଢନ୍ତୁ...ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା
ସପ୍ତାହରେ ୪ ଦିନ ଅର୍ଥାତ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଏହି ବିମାନ ସେବା ମିଳିବ । ସେହିପରି ଅନ୍ୟ ୩ଦିନ ରାଉକେଲାରୁ କୋଲକାତା ଯିବାକୁ ପାଇଁ ହେଲେ ଭୁବନେଶ୍ବର ଦେଇ ଯିବାକୁ ପଡିବ । ଅନ୍ୟପକ୍ଷରେ ରାଉରକେଲା ଭୁବନେଶ୍ଵର ଏଟିଆର ୭୨ ବିମାନସେବା ପାଇଁ ସପ୍ତାହର ଅବଶିଷ୍ଟ ୩ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସେଡ୍ୟୁଲ ଅଲଗା ରହିବ । ଏହି ୩ ଦିନରେ ଏଟିଆର୍ ବିମାନ କୋଲକାତାରୁ ଅପରାହ୍ନ ୧ଟା ୧୦ରୁ ବାହାରି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ବରରେ ପହଞ୍ଚିବ । ପୁନଃ ଭୁବନେଶ୍ବରରୁ ଅପରାହ୍ନ ୩ଟା ୫ରୁ ବାହାରି ରାଉରକେଲାରେ ଅପରାହ୍ନ ୪ଟାରେ ପହଞ୍ଚିବ । ସେହିପରି ଏଟିଆର ୭୨ ବିମାନ ରାଉରକେଲାରୁ ଅପରାହ୍ନ ୪ଟା ୨୫ରେ ବାହାରି ଭୁବନେଶ୍ଵରରେ ୫ଟା ୨୦ରେ ପହଞ୍ଚିବ । ଏହାପରେ ବିମାନଟି ଭୁବନେଶ୍ବରରୁ ୫ଟା ୪୫ରେ ବାହାରି କଲକତାରେ ୭ଟା ୧୫ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।
ରାଉରକେଲାକୁ ଉପଯୁକ୍ତ ବିମାନ ସେବା ଯୋଗାଇ ପାରୁଥିବା ଉନ୍ନତ ତଥା ନୂଆ ବିମାନ ଦେବାର ଆବଶ୍ୟକତା ରହିଛି । ଏହାସହ ଆଇଏଲଏସ ଓ ରାତ୍ରକାଳୀନ ବିମାନ ଅବତରଣ ବ୍ୟବସ୍ଥାକୁ ତ୍ବରିତ କରିବାର ଏକାନ୍ତ ଆବଶ୍ୟକତା ରହିଛି । କାରଣ ବିଗତ ଦିନରେ ଏହି ଅଭାବ କାରଣରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିମାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଣିପାଗ ପାଇଁ ଆଇଏଲଏସ ବ୍ୟବସ୍ଥା ନଥିବାରୁ ବାରମ୍ବାର ବିମାନସେବା ବାତିଲ ହେଉଛି । ଯାହା ଫଳରେ ଯାତ୍ରୀମାନେ ଟିକେଟ କରି ନିରାଶ ହୋଉଛନ୍ତି । ଏହି ସେବାକୁ ଉନ୍ନତ ଓ ସମୃଦ୍ଧ କରିବା ପାଇଁ ଦାବି ହୋଇ ଆସୁଛି ।
ଇଟିଭି ଭାରତ ,ରାଉରକେଲା