ରାଉରକେଲା: କୋଇଡାରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ । ଢ଼ାବା ମାଲିକ ଓ ତାର ସହଯୋଗୀକୁ ଗୁଳି ମାରିବା ଘଟଣାରେ ଜଣେ ଗିରଫ ହୋଇଛି । କଞ୍ଚାମାଲ ଚୋରା ଚାଲାଣ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ମାଲଦା ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ତେବେ ଦୀର୍ଘ ୧୬ ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାସ କରି ଜଣକୁ ଗିରଫ କରିବାରେ ସଫଳ ହେବା ସହ ମାଙ୍ଗାନିଜ ଚୋରା ଚାଲାଣରୁ ଏଭଳି କାଣ୍ଡ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖଣିରେ ଚୋରା ଚାଲାଣ ନେଇ ଘଟିଥିଲା କାଣ୍ଡ ।
ତେବେ ମୃତ ରମେଶ ଚତମ୍ବା ଚୋରା ଚାଲାଣର ମୁଖ୍ୟ ଇନଫର୍ମର ଥିବା ବେଳେ ତାରି କଥାରେ ଚୋରି ହେଉଥିଲା । ଏଣୁ ପୂର୍ବ ଶତ୍ରୁତା ଓ ଚୋରା ଚାଲାଣରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମୁଖ୍ୟ ଗୁଡୁ ଓରଫ ସଦାନନ୍ଦ ମାନକି ଏହି କାଣ୍ଡ ଭିଆଇଥିଲେ । ତାଙ୍କ ଘର ଯୋଡା ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ସଦାନନ୍ଦଙ୍କ ଘର । ସଦାନନ୍ଦ ଓ ଆଉ ଜଣେ ଝାଡ଼ଖଣ୍ଡର ସହଯୋଗୀ ପ୍ରକାଶ ପାତ୍ର ମିଶି ଗୁଳି କରି ହତ୍ୟା କରିଥିଲେ । ଏବେ ସଦାନନ୍ଦ ଧରା ପଡିଥିବା ବେଳେ ପ୍ରକାଶ ଫେରାର୍ ଥିବାବେଳେ ତଦନ୍ତ ଜାରି ରହିଥିବା ସୁନ୍ଦରଗଡ଼ ଏସ୍ପି ମୁକେଶ କୁମାର ଭାମୂ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ଗିରଫ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ୭.୬ ଏମ୍ଏମ୍ ବୋର୍ର ପିସ୍ତଲ ଓ ୮ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ଅପରାଧୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।
ପ୍ରକାଶ ଥାଉକି, ଫେବୃଆରୀ 26 ତାରିଖ ରାତି ପ୍ରାୟ ୮ଟା ବେଳକୁ କୋଇଡା ମାଲଦା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ରାତି ୮ଟା ବେଳକୁ ତିନି ଜଣ ବ୍ୟକ୍ତି ଏକ ନମ୍ବର ବିହୀନ ପଲସର ବାଇକରେ ଢ଼ାବାକୁ ଆସିଥିଲେ ଏବଂ ସେଠାରେ ଢ଼ାବା ମାଲିକ ସହ ତିନି ଜଣ ଦୁର୍ବୁତ୍ତଙ୍କ ଢ଼ାବା ଭିତରେ କୌଣସି କାରଣରୁ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା । ଢ଼ାବା ମାଲିକ ରମେଶ ଚାତମ୍ବା ଓ ତାଙ୍କ ସହଯୋଗୀ ରାମ ପୂର୍ତ୍ତୀଙ୍କ ସହ ଦୁର୍ବୁତ୍ତ ଙ୍କ ବଚସା ଉଗ୍ର ରୂପ ନେଇଥିଲା ଏବଂ ଦୁର୍ବୁତ୍ତ ମାନେ ଅତର୍କିତ ଭାବରେ ଢ଼ାବା ମାଲିକ ରମେଶ ଏବଂ ସହଯୋଗୀ ରାମ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡର ଶିକାର ହୋଇଥିବା ଢ଼ାବା ମାଲିକ ଏବଂ ସହଯୋଗୀ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଟିସ୍କୋ ହସ୍ପିଟାଲକୁ ପ୍ରଥମେ ଅଣା ଯାଇଥିଲା । ସେଠାରେ ଢ଼ାବା ମାଲିକ ରମେଶ ଚାତମ୍ବାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ସହଯୋଗୀ ରାମ ପୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଇଟିଭି ଭାରତ, ରାଉରକେଲା