ସୁନ୍ଦରଗଡ: ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକଙ୍କୁ ସଚେତନତା କରିବା ନେଇ କଂଗ୍ରେସ ଅଭିଯାନ ଆରମ୍ଭ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଇଛି ସୂଚନା । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ତଥା ବର୍ତ୍ତମାନର ସୁନ୍ଦରଗଡର ବିଜୟୀ ଲୋକ ନେତାଙ୍କ ଉଦାସୀନତା ଓ ସ୍ଥାଣୁତାକୁ କେନ୍ଦ୍ର କରି ଜିଲ୍ଲା କଂଗ୍ରେସ କମିଟି ତାର ଆନ୍ଦୋଳନର ପନ୍ଥା ଆପଣେଇଛି । ସୁନ୍ଦରଗଡରେ ରାଜ୍ୟର ଦ୍ୱିତୀୟ AIIMS ପ୍ରତିଷ୍ଠା ଦାବି, ଇବ୍ ନଦୀ ଉପରେ ତୁରନ୍ତ ବ୍ୟାରେଜ ନିର୍ମାଣ ଦାବି,DMF ପାଣ୍ଠିର ସଦୁପଯୋଗ ଦାବି ଓ ପୌରପାଳିକାର ଅତ୍ୟନ୍ତ ନୈରାଶ୍ୟ ଜନକ କାର୍ଯ୍ୟ କଳାପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ।
ଆସନ୍ତା 7 ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ସହ ସୁନ୍ଦରଗଡ ସହରକୁ 12 ଘଣ୍ଟା ଧରି ବନ୍ଦ କରିବା ନେଇ ଦେଇଛି ସୂଚନା । ସରକାର ଓ ଜିଲ୍ଲା ପ୍ରଶାସନ ଯଦି ଦାବି ପୂରଣ ନ କରନ୍ତି ତେବେ କଂଗ୍ରେସ କମିଟି ଏହି ଆନ୍ଦୋଳନ ଜାରି ରଖିବ ବୋଲି ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝି ଓ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବେଣୁ ମାଧବ ତ୍ରିପାଠୀ କହିଛନ୍ତି । ସୁନ୍ଦରଗଡର କଂଗ୍ରେସ ଦଳ ସୁନ୍ଦରଗଡର ସର୍ବାଙ୍ଗୀନ ଉନ୍ନତି ନେଇ ସବୁବେଳେ ସଂଗ୍ରାମ କରି ବିଜୟୀ ହୋଇଛି ।
ପୂର୍ବରୁ ସୁନ୍ଦରଗଡବାସୀଙ୍କ ଉନ୍ନତି ନେଇ କଂଗ୍ରେସ ଆନ୍ଦୋଳନ କରିଥିଲା । ଏବେ ମଧ୍ୟ କରୁଛି । ଆଗାମୀ ଭବିଷ୍ୟତରେ ମଧ୍ୟ ଆବଶ୍ୟକ ହେଲେ କଂଗ୍ରେସର ଏହି ଅଭିଯାନ ଚାଲୁ ରଖିବ ବୋଲି କଂଗ୍ରେସ ସାମ୍ବାଦିକ ସମ୍ମଳନୀରେ ସ୍ପଷ୍ଟ କରିଛି । ସୁନ୍ଦରଗଡ ପୌରପାଳିକା ଯଦି ତାର କାର୍ଯ୍ୟରେ ସୁଧାର ନ ଆଣେ । ତେବେ ଅଗଷ୍ଟ 31 ତାରିଖରେ କଂଗ୍ରେସ ଦଳ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ତାର ପ୍ରତିବାଦ ଦେଖାଇବ ବୋଲି ଚେତାବନୀ ଦେଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ