ସୁନ୍ଦରଗଡ: ବଡଭାଇକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟାକଲା ସାନଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ । ରାତିରେ ଖାଇ ବସିଥିବାବେଳେ ଅଚାନକ ଘଟିଛି ହତ୍ୟାକାଣ୍ଡ ।
ସୂଚନାଅନୁଯାୟୀ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ବଡଭାଇ ଶୁକ୍ର ମୁଣ୍ଡା ଓ ସାନଭାଇ ଲଣ୍ଡା ମୁଣ୍ଡା ଗତକାଲି ରାତି 9 ଟା ବେଳେ ଖାଇବାକୁ ବସିଥିବା ବେଳେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ଝଗଡା ହୋଇଥିଲା । ଏଥିରେ ସାନଭାଇ ଲଣ୍ଡା ମୁଣ୍ଡା ଉତକ୍ଷିପ୍ତ ହୋଇ ବଡ ଭାଇ ଶୁକ୍ରା ମୁଣ୍ଡାକୁ (60) କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟା କରୁଥିବା ସମୟରେ ଘରେ ଥିବା ଅନ୍ୟ ମାନଙ୍କୁ ମଧ୍ୟ ପାଖକୁ ଆସିଲେ ହତ୍ୟା କରିବି ବୋଲି ଧମକ ଦେବା ଫଳରେ କେହି ପାଖକୁ ଆସି ନଥିବା ଜଣାପଡିଛି l ହତ୍ୟା କରିବା ପରେ ସାନଭାଇ ଲଣ୍ଡା ମୁଣ୍ଡା ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ସେପଟେ ପରିବାର ପକ୍ଷରୁ ଏନେଇ ମହୁଲପଦା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି l ମୃତଦେହ ଜବତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ