ରାଉରକେଲା: ଧୁମଧାମରେ ପାଳନ ହେଲା ଇଦ-ଏ-ମିଲାଦ ବା ମହମ୍ମଦ ଜୟନ୍ତୀ । ରାଉରକେଲା ସହରର ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ମହମ୍ମଦ ଜୟନ୍ତୀ ପାଳିଛନ୍ତି । ମହତାବ ରୋଡରୁ ଆରମ୍ଭ ହୋଇଥିଲା ଏକ ବିଶାଳ ରାଲି । ହଜାର ହଜାର ମୁସଲମାନଙ୍କ ସମେତ ବିଭିନ୍ନ ଧର୍ମର ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରେମ, ଶାନ୍ତି ଓ ସୌହାର୍ଦ୍ଦ୍ୟର ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରି ଏହି ରାଲିର ଆୟୋଜନ କରାଯାଇଥିଲା ।
ଏହି ଶୋଭାଯାତ୍ରା ମହତାବ ରୋଡ଼ରୁ ବାହାରି ଟ୍ରାଫିକ ଗେଟ୍, ବିଶ୍ରା ଛକ, ମଧୁସୂଦନ ଛକ ସମେତ ରାଉରକେଲାର ବିଭିନ୍ନ ସ୍ଥାନ ଦେଇ ପରିକ୍ରମା କରିଥିଲା । ବିଭିନ୍ନ ରଙ୍ଗବେରଙ୍ଗର ପତାକା ଓ ବ୍ୟାନରରେ ସଜେଇ ହୋଇଥିଲା ରାସ୍ତା । ପ୍ରଫେଟ୍ ମହମ୍ମଦଙ୍କ ଗୁଣଗାନରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ । ଶ୍ରଦ୍ଧା,ଭକ୍ତି ଓ ସାମ୍ପ୍ରଦାୟିକ ଏକତାର ଭାବନା ସହିତ ସମସ୍ତେ ଏକାଠି ହୋଇଥିଲେ । ଏହି ରାଲି ବିଭିନ୍ନ ସ୍ଥାନ ଦେଇ ପୁଣି ମହତାବ ରୋଡ଼ଠାରେ ଆସି ସମାପ୍ତ ହୋଇଥିଲା । ହଜାର ହଜାର ସଂଖ୍ୟାରେ ମୁସଲମାନ ଧର୍ମାବଲମ୍ବୀ ଏହି ରାଲିରେ ଯୋଗ ଦେଇଥିଲେ।
ନବୀଙ୍କ ସମ୍ମାନରେ କୋରାନର ଶ୍ଲୋକ ଆବୃତ୍ତି କରାଯାଇଥିଲା । ରାଉରକେଲାର ବିଭିନ୍ନ ଅଞ୍ଚଳ ଓ ଆଖପାଖ ଅଞ୍ଚଳର ମୁସଲମାନମାନେ ଧୁମଧାମରେ ଏକାଠି ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକମାନେ ଇଦ୍- ଏ- ମିଲାଦ ପର୍ବରେ ଭାଗ ନେଇଥିଲେ । ସମସ୍ତେ ଏହି ପର୍ବକୁ ବେଶ ଉପଭୋଗ କରିଥିବାବେଳେ ଉତ୍ସବମୁଖର ହୋଇଉଠିଥିଲା ରାଉରକେଲା ସହର।
ଏହା ବି ପଢନ୍ତୁ...Eid Milad Un Nabi: ଢେଙ୍କାନାଳରେ ସୁନି ଜମାତର 'ଜୁଲୁସ ଶୋଭାଯାତ୍ରା'
ଲୋକମାନେ କେବଳ ଉତ୍ସବ ପାଳନ କରିବା ସହିତ ପ୍ରଫେଟ ମହମ୍ମଦଙ୍କ ଶିକ୍ଷା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛନ୍ତି । ତାଙ୍କର ଶାନ୍ତି, କରୁଣା ଏବଂ ଦୟାର ବାର୍ତ୍ତା ଦୃଢ଼ ଭାବରେ ପ୍ରତିଧ୍ୱନିତ ହୋଇଥିଲା । ଏକ ଉତ୍ତମ ଏବଂ ଅଧିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନ ପାଇଁ ସେ ପ୍ରୟାସ କରିବା କରଆସୁଥିଲେ ବୋଲି କହିଛନ୍ତି ଧର୍ମଗୁରୁ । ତେବେ ପ୍ରଫେଟ ମହମ୍ମଦଙ୍କର ଏହି ଅବଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ଏହି ବିଶାଳ ରାଲି ବ୍ୟସ୍ତବହୁଳ ଡେଲି ମାର୍କେଟ ଦେଇ ମହତାବ ରୋଡକୁ ଫେରି ଆସିଥିଲା। ଅଂଶଗ୍ରହଣକାରୀମାନେ ଇଦ୍-ଏ-ମିଲାଦ ପର୍ବକୁ ବେଶ ଉପଭୋଗ କରିଥିବା ଦେଖିବାକୁ ମିଳିଛି। ଆଜି ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପର୍ବ ବେଶ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।
ଇଟିଭି ଭାରତ, ରାଉରକେଲା