ରାଉରକେଲା: ଆଜିବି ବିଜୁ ବାବୁଙ୍କ ଝୁରୁଛି ସାରା ଓଡିଶା । ଯୁବରୁ ବୃଦ୍ଧ ସମସ୍ତଙ୍କ ମନରେ ଆଜିବି ବିଜୁ ବାବୁଙ୍କ ଏକ ନିଆରା ପ୍ରତିଛବି ରହିଛି । ନିଜର ଜୀବନ କାଳରେ ସାରା ରାଜ୍ୟ ନୁହେଁ ବରଂ ସାରା ଭାରତ ବର୍ଷ ପାଇଁ ଥିଲେ କର୍ତ୍ତବ୍ୟ ପରାୟଣ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଉପଲକ୍ଷେ ରାଉରକେଲା ସ୍ଥିତ ବେଦବ୍ୟାସ ତ୍ରିବେଣୀ ସଙ୍ଗମ ନଦୀ ପୀଠରେ ସ୍ଵର୍ଗତ ଵିଜୁ ବାବୁଙ୍କ ତିଳତର୍ପଣ ତଥା ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ରାଉରକେଲା ବିଜୁଜନତା ଦଳର କର୍ମକର୍ତ୍ତା ଏବଂ ବେଦବ୍ୟାସ ଗୁରୁକୁଳର ସମସ୍ତ ଛାତ୍ରମାନେ ଉପସ୍ଥିତ ରହି ଵିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ପ୍ରବାଦ ପୁରୁଷଙ୍କ ଐତିହାସିକ ପଦକ୍ଷେପ: ମହାତ୍ମା ଗାନ୍ଧିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜୁ ପଟ୍ଟନାୟକ 'ଭାରତ ଛାଡ଼' ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହି ସମୟରେ କଂଗ୍ରେସରେ ରହି ଜଣେ ପ୍ରଭାବଶାଳୀ ନେତା ଭାବରେ ଉଭା ହୋଇଥିଲେ ବିଜୁ ପଟ୍ଟନାୟକ । ଇଣ୍ତୋନେସିଆର ସ୍ବାଧୀନତା ସଂଗ୍ରାମରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମିଳିଥିଲା ଇଣ୍ତୋନେସିଆର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଭୂମିପୁତ୍ର’ ସମ୍ମାନ ।
ମୁଖ୍ୟମନ୍ତ୍ରୀ ରପେ ଯୁଗାନ୍ତକରୀ ପଦକ୍ଷପ: ରାଜନେତା ରୂପେ ସେ ଥିଲେ ସାହସୀ, ସ୍ବାଭିମାନୀ ଓ ଦୂରଦ୍ରଷ୍ଟା । ସ୍ବାଧୀନତା ପରେ ସେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ । ସେ ଦୁଇଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୬୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ୧୯୬୩ ଯାଏଁ ଓଡ଼ିଶାର ନେତୃତ୍ବ ନେଇଥିଲେ । ତାଙ୍କ ଉଦ୍ୟମରେ ଓଡ଼ିଶାରେ ବହୁ କାରଖାନା ପ୍ରତିଷ୍ଠିତ ହୋଇଥିଲା । ପାରାଦୀପରେ ଏକ ବୃହତ୍ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ । ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦ୍ୱୀପକୁ ଯୋଡ଼ିବା ପାଇଁ ରାଜପଥ ନିର୍ମାଣ କରାଇଥିଲେ । ଏହାସହ ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ । ତାଙ୍କ ସମୟରେ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ ହୋଇଥିଲା । ଶ୍ରମିକଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଇ ସେ ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବଢ଼ାଇ ଦେଇଥିଲେ । ସେ କେନ୍ଦ୍ରରେ ଖଣି- ଇସ୍ପାତ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୧୯୯୭ ଏପ୍ରିଲ ଆଜି ତାରିଖରେ ତାଙ୍କର ପରଲୋକ ହୋଇଥିଲା ।
ଇଟିଭି ଭାରତ, ରାଉରକେଲା