ରାଉରକେଲା: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ତାମିଲନାଡ଼ୁ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବାବଦରେ ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଉଛି । ଏହାକୁ ନେଇ ସାରା ଦେଶରେ ଆଲୋଚନା ଏବଂ ବିତର୍କ ଜାରି ରହିଥିବା ବେଳେ ରାଉରକେଲାରେ ବଜରଙ୍ଗ ଦଳ ଏହାକୁ ବିରୋଧ କରିଛି । ବଜରଙ୍ଗ ଦଳ କର୍ମୀମାନେ ଉଦିତନଗର ଆମ୍ବେଦକର ଛକ ଠାରେ ଗତକାଲି(ଶନିବାର) ବିରୋଧ ପ୍ରଦର୍ଶନ କରିଥିଲେ । ଉଦୟନିଧିଙ୍କ କୁଶ ପୁତ୍ତଳିକା ଦାହ ସହ ସନାତନ ଧର୍ମ ବିରୋଧୀ ମନୋଭାବକୁ ବରଦାସ୍ତ କରାଯିବ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଗତ କିଛି ଦିନ ତଳେ ଉଦୟନିଧି ଷ୍ଟାଲିନ ଦ୍ୱାରା ବିବାଦୀୟ ମନ୍ତବ୍ୟକୁ ନେଇ ଭାରତୀୟ ରାଜନୀତିରେ ଚର୍ଚ୍ଚା ଓ ବିତର୍କ ଆରମ୍ଭ ହୋଇଛି । ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ଏଭଳି ମନ୍ତବ୍ୟ ବିବାଦର ନିଆଁରେ ଘିଅ ଢାଳିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଦୟନିଧିଙ୍କ ମନ୍ତବ୍ୟକୁ ବିରୋଧ କରି ରାଉରକେଲାରେ ମଧ୍ୟ ବ୍ୟପକ ବିକ୍ଷୋଭ ପ୍ରଦର୍ଶନ କରିଛି ବଜରଙ୍ଗ ଦଳ ।
ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଉଦୟନିଧି ଷ୍ଟାଲିନ ଏପରି ମନ୍ତବ୍ୟ ଦେଇଥିଲେ ଯାହାକୁ ଅନେକ ଲୋକ ସନାତନ ଧର୍ମ ପ୍ରତି ଅପମାନଜନକ ବୋଲି ଜାଣିଥିଲେ । ଭାରତର ସବୁଠାରୁ ପୁରାତନ ଧର୍ମ ବିଷୟରେ ଅପଶବ୍ଦ କହିବା ଏକ ସଙ୍ଗୀନ ଅପରାଧ । ତାଙ୍କୁ ତରୁନ୍ତ କଠୋର ଦଣ୍ଡ ଦେବା ସହ ତାଙ୍କର ସଦସ୍ୟତା ରଦ୍ଦ କରିବାକୁ ବଜରଙ୍ଗ ଦଳ ଦାବି କରିଛି । ରାଉରକେଲା ବଜରଙ୍ଗ ଦଳର ସମସ୍ତ କର୍ମୀ ଏକାଠି ହୋଇ ସନାତନ ଧର୍ମ ବା ହିନ୍ଦୁ ବିରୋଧୀ କଥା ବାର୍ତ୍ତା ବା ମନ୍ତବ୍ୟକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହି ଉଦୟନିଧି ଷ୍ଟାଲିନଙ୍କ କୁଶ ପୁତ୍ତଳିକା ଦାହ କରିଛି ।
ସୂଚନା ଥାଉ କି, ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହି ଧର୍ମକୁ ସମୂଳ ବିନାଶ କରିଦେବା ଉଚିତ ବୋଲି କହିଥିଲେ ଉଦୟନିଧି । ଏପରିକି ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, କୋରୋନା ଭାଇରସ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଏହା ବିରୋଧରେ ଲଢିବା ବଦଳରେ ସମୂଳ ବିନାଶ କରିବା ଉଚିତ । ସାରା ଦେଶରେ ଏହି ପ୍ରସଙ୍ଗ ରାଜନୈତିକ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ବି ଏହି ମାମଲା ପହଞ୍ଚିଛି । ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଆବେଦନ ଦାଖଲ କରିଛନ୍ତି ।
ଇଟିଭି ଭାରତ, ରାଉରକେଲା