ରାଉରକେଲା: ହାତ ତିଆରି ଆଦିବାସୀ ଅଳଙ୍କାର କରି ଚର୍ଚ୍ଚାରେ ମହିଳା ଗୋଷ୍ଠୀ । ଆଦିବାସୀ ଅଳଙ୍କାର ଏବେ ଯୁବପିଢ଼ିଙ୍କ ମଧ୍ୟରେ ଫ୍ୟାସନ ପାଲଟି ଥିବା ବେଳେ ଏହି ନୂଆ ଡିଜାଇନର ଆଦିବାସୀ ଅଳଙ୍କାର ବର୍ତ୍ତମାନ ଲୋକଙ୍କୁ ଆକର୍ଷିତ କରୁଛି । ତମ୍ବା, ପିତଳ, ଆଲୁମିନିୟମ ଆଦିରେ କାନଫୁଲ ଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍ର ହାର ତିଆରି ହେଉଛି । ଆଉ ଏହାକୁ ନିଜ ହାତରେ ତିଆରି କରୁଛନ୍ତି ରାଉରକେଲା ସହରର ଝିରପାଣିର ଅନନ୍ୟା ଗ୍ରୁପର ମହିଳାମାନେ । ପ୍ରାୟ ୩୦ ରୁ ୪୦ ଜଣ ମହିଳା ଏକାଠି ହୋଇ ହାତରେ ତିଆରି କରୁଛନ୍ତି ଏହି ଆଦିବାସୀ ଅଳଙ୍କାର ।
2017 ମସିହାରୁ ଝିରପାଣିର ମହିଳାମାନେ ଏକାଠି ହୋଇ ଆରମ୍ଭ କରିଥିଲେ ଏହି ଆଦିବାସୀ ଅଳଙ୍କାର ତିଆରି କାର୍ଯ୍ୟ । ଘରେ ଖାଲି ବସିବା ଅପେକ୍ଷା ସମୟକୁ କିଭଳି ସଦୁପଯୋଗ କରାଯାଇ ପାରିବ ତାହା ଚିନ୍ତା କରି ଏକାଠି ଆରମ୍ଭ କରିଥିଲେ ଏହି କାର୍ଯ୍ୟ । ବିଭିନ୍ନ ପ୍ରକାରର ଲକେଟ, ପେଡେଣ୍ଟ ଏବଂ କାନ ଫୁଲ ସାଙ୍ଗକୁ ବିଭିନ୍ନ ସୁନ୍ଦର ସୁନ୍ଦର ଗହଣା ଏବଂ ଅଳଙ୍କାର ତିଆରି କରିବା ସହିତ ଏହାକୁ ବିକ୍ରି କରି ବାର୍ଷିକ ଦୁଇ ଲକ୍ଷରୁ ଅଧିକ ରୋଜଗାର କରି ପାରୁଛନ୍ତି । ସେହିପରି ସାରା ରାଜ୍ୟରେ ହେଉଥିବା ବିଭିନ୍ନ ପ୍ରଦର୍ଶନୀ ଏବଂ ମେଳାରେ ମଧ୍ୟ ବିକ୍ରି କରିଥାନ୍ତି ଏହି ଆଦିବାସୀ ଅଳଙ୍କାର। ଆଉ ଏହି ହାତ ତିଆରି ଅଳଙ୍କାର ବିକ୍ରି କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ରାଉରକେଲାର ଅନନ୍ୟା ଗ୍ରୁପ ମହିଳା ।
ଏନେଇ କାରୀଗର ମହିଳା ହେମା ଏକ୍କା କହିଛନ୍ତି, "ବର୍ତ୍ତମାନ ହାତ ତିଆରି ଜିନିଷର ଅଧିକ ଚାହିଦା ରହିଛି । ଆଦିବାସୀ ଅଳଙ୍କାର ର ଅଧିକ ଚାହିଦା ଥିବାରୁ ଆମେ ଏହାକୁ ତିଆରି କରୁଛୁ । ଆମେ ଏଠାରେ ୩୦ ରୁ ୪୦ ମହିଳା ମିଶି ତିଆରି କରୁଛୁ । ଆଉ ଏହାକୁ ବିଭିନ୍ନ ସ୍ତରୀୟ ମେଳାରେ ବିକ୍ରି କରୁଛୁ । ୨୦୧୭ରୁ ଏହି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମଝିରେ ବନ୍ଦ କରିଦେଇଥିଲୁ । କିନ୍ତୁ କୋଭିଡରେ ଲକଡାଉନ ପରଠାରୁ ପୁନର୍ବାର ଏହାକୁ ଆରମ୍ଭ କରିଛୁ ।"
ଇଟିଭି ଭାରତ, ରାଉରକେଲା