ସୁନ୍ଦରଗଡ: ଧରୁଆଡିହି ପୋଲିସର ବିଚିତ୍ର କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତକୁ ଗିରଫ ନ କରି ପୁଅ ଓ ଝିଅକୁ ଗିରଫ କରିଥିବା ଅଭିଯୋଗ ହୋଇଛି । ସେପଟେ ଏହି ଲଜ୍ଜା ଓ ଜଘନ୍ୟ କାଣ୍ଡ ଘଟାଇ ଫେରାର ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡିତାଙ୍କୁ ନ୍ୟାୟ ଦେବା ଦାବି ନେଇ ପୀଡିତାର ପରିବାର ସହ ଗ୍ରାମବାସୀ ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଛନ୍ତି । ନ୍ୟାୟ ନ ମିଳିଲେ ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ସୂଚନାଥାଉକି ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ତାଙ୍କ ନିଜ କକା 64 ବର୍ଷିୟ ରାଧୁ କୁଲ୍ଲୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗ୍ରାମର ନିଷ୍ପତ୍ତି କ୍ରମେ ପାଞ୍ଚ ସଦସ୍ୟ ଓ ଗ୍ରାମବାସୀ ବସି ଦୋଷୀ ଚିହ୍ନଟ କରି ସମାଧାନ ପାଇଁ ଚେଷ୍ଟା କରିଥିଲେ। ତେବେ ଅଭିଯୁକ୍ତ ସମସ୍ତଙ୍କୁ ଚକମା ଦେଖାଇ ଅନ୍ୟତ୍ର ଫେରାର ହୋଇଯିବା ପରେ ପୀଡିତାର ପରିବାର ଲୋକେ ଧରୁଆଡିହି ଥାନାରେ ଗତ ମେ ମାସ 5 ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ସହ ତାଙ୍କ ଦିବ୍ୟାଙ୍ଗ ଝିଅ 7 ମାସର ଗର୍ଭବତୀ ଥିବା ନେଇ ଡାକ୍ତରୀ ପ୍ରମାଣ ପତ୍ର ମଧ୍ୟ ଅଭିଯୋଗ ଫର୍ଦ୍ଦରେ ଯୋଡିଥିଲେ । ତେବେ ଆଜିକୁ ଦେଢ ମାସ ବିତିଯାଇଥିଲା ବେଳେ ପୋଲିସ ଦୋଷୀକୁ ଧରିବାରେ ବିଫଳ ହୋଇଛି । ଏବେ ଦିବ୍ୟାଙ୍ଗ ପୀଡିତା 9 ମାସର ଗର୍ଭ ଧାରଣ କରିଛି । ପ୍ରକୃତ ଦୋଷୀକୁ ଧରିବା ପାଇଁ ପୀଡିତାର ମା’ ପୋଲିସକୁ ଅନୁରୋଧ କରିଛନ୍ତି ।
ତେବେ ସେପଟେ ପୋଲିସ ଏଠାରେ ଅଭିଯୁକ୍ତକୁ ଗିରଫ ନକରି ତାଙ୍କ ପୁଅଝିଅକୁ କିଭଳି ଗିରଫ କରିଛି ସେନେଇ ଉଠିଛି ପ୍ରଶ୍ନ । ତେବେ ଅଭିଯୋଗକୁ ଦେଢମାସ ବିତିଯାଇଥିଲେ ମଧ୍ୟ ଧରୁଆଡିହି ପୋଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ