ରାଉରକେଲା: ଅଗଷ୍ଟ ୯ କ୍ରାନ୍ତି ଦିବସରେ ଭାରତୀୟ ଟ୍ରେଡ୍ ୟୁନିୟନ କଂଗ୍ରେସ ପକ୍ଷରୁ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଆଜି ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଜରାସ୍ତାକୁ ଓହ୍ଲାଇଛି ଅଖିଳ ଭାରତୀୟ ଟ୍ରେଡ୍ ୟୁନିୟନ କଂଗ୍ରେସ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଦେଶ ବିରୋଧୀ ନୀତି ଅପଣାଇ ଜନସାଧାରଣଙ୍କୁ ହନ୍ତସନ୍ତ କରୁଥିବା ଅଭିଯୋଗ ଆଣିଛି ଏଆଇଟିୟୁସି । ଏହି ବିକ୍ଷୋଭରେ ଶ୍ରମିକ ଅଧିକାରକୁ ପ୍ରଭାବିତ କରୁଥିବା ବିବାଦୀୟ ଶ୍ରମିକ ସଂହିତାକୁ ରଦ୍ଦ କରିବା ପାଇଁ ଏକ ତୀବ୍ର ଦାବି ହୋଇଥିଲା । ଏହି କ୍ରାନ୍ତି ଦିବସରେ ରାଉରକେଲା ଉପଜିଲ୍ଲାପାଳ କାର୍ଯ୍ୟାଳୟ ବାହାରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁଠାରେ ଏଆଇଟିୟୁସି ପକ୍ଷରୁ ଘରୋଇକରଣ ଚିନ୍ତାଠାରୁ ଆରମ୍ଭ କରି ସାମାଜିକ ଆର୍ଥିକ ବୈଷମ୍ୟ ଭଳି ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରାଯାଇଥିଲା ।
ସେମାନଙ୍କର ପ୍ରାଥମିକ ଦାବି ହେଉଛି ଚାରୋଟି ଶ୍ରମିକ ବିରୋଧ ଶ୍ରମ ସଂହିତାକୁ ରଦ୍ଦ ଯଥା ସମ୍ଭବ କରାଯାଉ । ନଚେତ ଏହା ବିଭିନ୍ନ କ୍ଷେତ୍ରର ଶ୍ରମିକମାନଙ୍କ କଲ୍ୟାଣ ପାଇଁ କ୍ଷତିକାରକ ବୋଲି କୁହାଯାଇଛି । ଅଙ୍ଗନବାଡ଼ି, ଆଶା, ପାଚିକା ଏବଂ ସିଆରପି(ସିଏମ) ଯୋଜନାର କର୍ମୀମାନେ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦେବାକୁ ଦାବି ହୋଇଛି । AITUC ପକ୍ଷରୁ ଦାବି କରାଯାଇଛି ଯେ ସମସ୍ତ ଆଶା, ପାଚିକମାନଙ୍କୁ ଉନ୍ନତ ମାନ୍ୟତା, ଉନ୍ନତ ସ୍ଥିତି, ଏବଂ ଉଚିତ ମଜୁରୀ ପ୍ରଦାନ କରାଯାଉ । ଏହି ସମାବେଶର ଅଂଶଗ୍ରହଣକାରୀମାନେ ସରକାରୀ ଉଦ୍ୟୋଗର ଘରୋଇକରଣ ଓ ବିକ୍ରିକୁ ତୀବ୍ର ବିରୋଧ କରିଥିଲେ । ଯାହା ସାଧାରଣ ନିୟନ୍ତ୍ରଣ ଓ ଅତ୍ୟାବଶ୍ୟକ ସେବାର କ୍ଷତି ଘଟାଇପାରେ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ ।
ଅଧିକ ପଢନ୍ତୁ: ଅଗଷ୍ଟ କ୍ରାନ୍ତି ଦିବସରେ ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ
ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ଦରଦାମ ବୃଦ୍ଧିକୁ ମଧ୍ୟ ବିରୋଧ କରାଯାଇଥିଲା । ଏହି ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଏକ ଚାପ ସୃଷ୍ଟି କରୁଛି ବୋଲି କହି କେନ୍ଦ୍ର ସରକାରଙ୍କ ବିରୋଧରେ ନିନ୍ଦା କରିଛି AITUC । ଜନତାଙ୍କ ଉପରେ ପଡ଼ିଥିବା ଆର୍ଥିକ ବୋଝକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ଆହ୍ୱାନ ଦିଆଯାଇଥିଲା । ଅନ୍ୟ ପକ୍ଷରେ ବର୍ତ୍ତମାନ ଦେଶରେ ଯେଉଁଭଳି ଭାବରେ ସାମାଜିକ ଶୃଙ୍ଖଳା ବଜାୟ ରଖିବା କଥା ତାହା କେନ୍ଦ୍ର ସରକାର ରଖି ପାରୁନାହାନ୍ତି ଏବଂ ପଛୁଆ ସମ୍ପ୍ରଦାୟର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଦାବି ହେଉଛି । ସଂଖ୍ୟାଲଘୁ, ନିର୍ଯାତିତ ଏବଂ ଆଦିବାସୀ ଗୋଷ୍ଠୀ ଉପରେ ଆକ୍ରମଣକୁ ନିନ୍ଦା କରି AITUC ଏକଜୁଟ୍ ହୋଇ ଆଜି ଷ୍ଟିଲ୍ ସିଟିରେ ଗର୍ଜିଛି । ନ୍ୟାୟ, ସମାନତା ଏବଂ ପରିବର୍ତ୍ତନ ଦାବିରେ ବ୍ୟାନର ଏବଂ ପ୍ଲାକାର୍ଡରେ ସଜ୍ଜିତ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
ଇଟିଭି ଭାରତ, ରାଉରକେଲା