ରାଉରକେଲା: ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଓ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଖୋଲିଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର । ବୁଧବାର ଏହାକୁ ପଶ୍ଚିମାଞ୍ଚଳ ରାଜସ୍ବ କମିସନର ନିରଞ୍ଜନ ସାହୁ ଲୋକାର୍ପଣ କରିଛନ୍ତି । ଦିବ୍ୟାଙ୍ଗଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ବ୍ୟବସ୍ଥା ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଖୋଲିଛି ।
![advanced artificial limb centre open in Sudargarh district hospital](https://etvbharatimages.akamaized.net/etvbharat/prod-images/od-rkl-3-artificiallimb-dry-7204000_15072020201305_1507f_1594824185_811.jpg)
କେନ୍ଦ୍ର ଲୋକାର୍ପଣ ବେଳେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ସିଡିଏମଓ ଡା. ସରୋଜ କୁମାର ମିଶ୍ର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍)ର ଆର୍ଥିକ ସହାୟତା ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି । ଏଠାରେ ଗରିବ ଶ୍ରେଣୀର ଦିବ୍ୟାଙ୍ଗ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏହାସହିତ ସେମାନଙ୍କୁ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ସୁଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ରକୁ ଆସୁଥିବା ସମସ୍ତ ରୋଗୀଙ୍କୁ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ ।
![advanced artificial limb centre open in Sudargarh district hospital](https://etvbharatimages.akamaized.net/etvbharat/prod-images/od-rkl-3-artificiallimb-dry-7204000_15072020201305_1507f_1594824185_215.jpg)
![advanced artificial limb centre open in Sudargarh district hospital](https://etvbharatimages.akamaized.net/etvbharat/prod-images/od-rkl-3-artificiallimb-dry-7204000_15072020201305_1507f_1594824185_161.jpg)
ତେବେ ବର୍ଷକୁ ୪ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ବର୍ଗର ଦିବ୍ୟାଙ୍ଗ ହିତାଧିକାରୀଙ୍କ କ୍ଷେତ୍ରରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାର ସୁବିଧା ରହିଛି । ଦୁର୍ଘଟଣାରେ ଅଙ୍ଗ ହରାଉଥିବା ଲୋକଙ୍କ ପାଇଁ ଏହି ପୁନର୍ବାସ କେନ୍ଦ୍ର ବରଦାନ ସଦୃଶ ହେବ । ସେହିପରି ସେମାନଙ୍କୁ ନିଜର ଜୀବନ ଓ ଜୀବିକା ପରିଚାଳନା କରିବା ସହିତ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇବ । ସ୍ଥାନୀୟ ହିତାଧିକାରୀମାନେ ଏହି କେନ୍ଦ୍ରରୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସୁଯୋଗ ପାଇପାରିବେ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ରାଜସ୍ବ କମିସନର ନିରଞ୍ଜନ ସାହୁ ।
![advanced artificial limb centre open in Sudargarh district hospital](https://etvbharatimages.akamaized.net/etvbharat/prod-images/od-rkl-3-artificiallimb-dry-7204000_15072020201305_1507f_1594824185_496.jpg)
![advanced artificial limb centre open in Sudargarh district hospital](https://etvbharatimages.akamaized.net/etvbharat/prod-images/od-rkl-3-artificiallimb-dry-7204000_15072020201305_1507f_1594824185_942.jpg)
ସେହିପରି ଏହି ପୁନର୍ବାସ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ଉନ୍ନତମାନର ଚିକିତ୍ସା ସୁବିଧା ରହିଛି । ଏହି କେନ୍ଦ୍ରରେ ଅତ୍ୟାଧୁନିକ ରୋବଟିକ୍ସ ଫିଜିଓଥେରାପି ସୁବିଧା ରହିଛି । ଅତ୍ୟାଧୁନିକ ଲାବ୍ରୋଟୋରୀ ସହିତ ଦିବ୍ୟାଙ୍ଗମାନେ ନିଜକୁ ପରିଚାଳନା କରିବା ପାଇଁ ତାଲିମ ନେଇପାରିବେ । ସେମାନଙ୍କର ଯତ୍ନ ନେବାର ବ୍ୟବସ୍ଥା ଥିବାରୁ ଏଥିରୁ ବହୁ ଲୋକ ଉପକୃତ ହେବେ ବୋଲି କହିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇଛି । ଖୁବ୍ଶିଘ୍ର ସେମାନଙ୍କୁ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍ ଆସିଷ୍ଟେଡ୍ ଥେରାପି ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ଭଳି ଦୁଇଟି ବିଭାଗ ରହିଛି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରୋବୋଟିକ୍ ଥେରାପି ସହାୟତାରେ ଚିକିତ୍ସା ପ୍ରଦାନ କରାଯିବା ସହ ଦିବ୍ୟାଙ୍ଗଙ୍କର ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗ ପ୍ରସ୍ତୁତି ହେବ ଓ ପ୍ରଦାନ କରାଯିବ । କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୧୩ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ