ରାଉରକେଲା: ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ । ଚୋରି ଏବଂ ଠକେଇ ମାମଲାରେ ରାଉରକେଲାକୁ ଆଣୁଥିବା ସମୟରେ ମୃତ୍ୟୁ ହୋଇଛି । ପୋଲିସ ସହ ଗାଡ଼ିରେ ବରଗଡ଼ରୁ ରାଉରକେଲା ଆସୁଥିବାବେଳେ ଅଭିଯୁକ୍ତର ଜୀବନ ଯାଇଛି । ଉଚ୍ଚ ରକ୍ତଚାପ ଯୋଗୁ ଜୀବନ ଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଉରକେଲା SP । ସୂଚନା ରାଜ୍ୟର ବିଭିନ୍ନ ସ୍ଥାନରେ ଘର ଭଡ଼ା ନେବାକୁ କହି ଅଭିନବ ଉପାୟରେ ଠକେଇ କରୁଥିବା ଏକ ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗକୁ ବରଗଡ଼ରୁ ରାଉରକେଲା ପୋଲିସ ଆଣୁଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ।
ଅଭିଯୁକ୍ତ ଜଣଙ୍କ ହେଉଛି ପଶ୍ଚିମବଙ୍ଗର ଅନିର୍ବାଣ କାଜି । ସୂଚନା ଅନୁସାରେ, ଗତ ୧ ତାରିଖରେ ରଘୁନାଥପାଲ୍ଲି ଥାନାରେ ଶିବଚରଣ ମଲ୍ଲ ନାମକ ଜଣେ ବ୍ୟକ୍ତି ଏକ ଠକ ଗ୍ୟାଙ୍ଗ ଦ୍ଵାରା ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, କିଛି ଦିନ ପୂର୍ବେ ଶିବଙ୍କୁ ଏକ କଲ୍ ଆସିଥିଲା । 'ସୁମିତ ଆଗ୍ରୋ ସାଇନ୍ସ ସର୍ଭିସ୍' ନାମକ ଏକ କମ୍ପାନୀର କାର୍ଯ୍ୟାଳୟ ରାଉରକେଲାରେ ଖୋଲିବାକୁ ଗୃହ ଆବଶ୍ୟକ ବୋଲି ଜଣେ ବ୍ୟକ୍ତି ଶିବଙ୍କୁ କହିଥିଲେ । କମ୍ପାନୀର ଅଫିସର ପରିଚୟ ଦେଇ ଆଉ କିଛି ଲୋକ ଆସି ଘରର ମାପଚୁପ କରିବା ପରେ ମାସିକ ୨ ଲକ୍ଷ ୯୨ ହଜାର ଟଙ୍କା ଭଡ଼ା ଦିଆଯିବ ବୋଲି ସ୍ଥିର କରାଯାଇଥିଲା । ଆସିଥିବା ବ୍ୟକ୍ତିମାନେ ଭେଣ୍ଡର କୋଡ ଦେଖାଇ ଘର ଭଡ଼ା ଲଗାଇ ଦେଇଥିବାରୁ ପ୍ରାପ୍ୟ ବାବଦକୁ ୨ ମାସର ଭଡ଼ା ଟଙ୍କା ମାଗିଥିଲେ । ହେଲେ ସେମାନଙ୍କ କଥାରେ ଶିବ ରାଜି ହୋଇ ନଥିଲେ ।
ପରେ ଝାରସୁଗୁଡାରେ ଭଡ଼ା ନେଇ କମ୍ପାନୀ ସହ ଚୁକ୍ତିନାମା ହେବା ପରେ ପୁନର୍ବାର ସେମାନେ ଶିବଙ୍କୁ ୨ ମାସର ଭଡ଼ା ଟଙ୍କା ମାଗିଥିଲେ । ଶିବ ସେମାନଙ୍କ କଥାକୁ ବିଶ୍ଵାସ କରି ୨ ମାସର ଭଡ଼ା ଟଙ୍କା ଦେଇଥିଲେ । ଟଙ୍କା ପାଇବା ପରେ ସେମାନେ ଶିବଙ୍କ ସହ ଆଉ ଯୋଗାଯୋଗରେ ରହିଲେ ନାହିଁ । ଏପରିକି ଶିବ ଫୋନ୍ କଲେ ମଧ୍ୟ ତାଙ୍କ ଫୋନ୍ ମଧ୍ୟ ଉଠାଇଲେ ନାହିଁ । ଏହାପରେ ସମାନ ଢଙ୍ଗରେ ବରଗଡ଼ର ଜଣେ ବ୍ୟବସାୟୀଙ୍କ ଏକ କୋଠାକୁ ଭଡ଼ାରେ ନେବାକୁ କହି ୨ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ଗତ ୨୪ ତାରିଖରେ ଏହି ୧୩ ଜଣିଆ ଠକ ଗ୍ୟାଙ୍ଗକୁ ଗିରଫ କରିଥିଲା । ଏହା ଜାଣିବା ପରେ ଶିବ ମଧ୍ୟ ସେମାନଙ୍କ ନାଁରେ ଅଭିଯୋଗ କରିଥିଲେ ।
ଏହା ବି ପଢନ୍ତୁ...ଜେଲରେ ଜୀବନ ହାରିଲେ ବିଚରାଧୀନ କଏଦୀ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ପରେ ବରଗଡ଼ କୋର୍ଟ ସମସ୍ତଙ୍କ ଜାମିନ ମଞ୍ଜୁର କରିଥିଲେ । ରବିବାର ସକାଳେ ବରଗଡ଼ ଜିଲ୍ଲା ଜେଲରୁ ମୁକୁଳିଥିଲେ ହେଲେ ବରଗଡ଼ରେ ଛକି ବସିଥିବା ରଘୁନାଥପାଲ୍ଲି ପୋଲିସ ଟିମ ସେମାନଙ୍କୁ ପୁଣି ଥରେ ଗିରଫ କରି ରାଉରକେଲା ନେଉଥିଲେ । ସେହି ସମୟରେ ସମ୍ବଲପୁର ଗୋଶାଳା ନିକଟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଅନିର୍ବାଣ। ପୋଲିସ ଅନିର୍ବାଣକୁ ବୁର୍ଲା ମେଡ଼ିକାଲକୁ ନେଇଥିବାବେଳେ ଡାକ୍ତର ସେଠାରେ ଅନିର୍ବାଣକୁ ମୃତ ଘୋଷଣା କରିଛନ୍ତି ।
ସେପଟେ ଅନିର୍ବାଣଙ୍କ ମୃତ୍ୟୁ ପରେ ଆଉ ଜଣେ ଅଭିଯୁକ୍ତ ମଞ୍ଜିତ ମଧ୍ୟ ଅସୁସ୍ଥ ହୋଇପଡ଼ିଥିବା କହିଥିଲା । ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ପୋଲିସ ହେପାଜତକୁ ଛାଡ଼ି ଦେଇଥିଲେ । ରାଉରକେଲା SP କହିଛନ୍ତି, ଅନ୍ୟ ୧୧ ଜଣଙ୍କ ମେଡିକାଲ ଟେଷ୍ଟ ପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଥିଲା । ରାଉରକେଲା ସହରରେ ରଘୁନାଥପାଲ୍ଲୀ ଏବଂ ବ୍ରାହ୍ମଣୀତରଙ୍ଗ ଥାନାରେ ମୋଟ ୩ଟି ମାମଲାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।"
ଇଟିଭି ଭାରତ, ରାଉରକେଲା