ସୁନ୍ଦରଗଡ଼: ଜିଲ୍ଲାରେ ତିନିଦିନ ଧରି ଚାଲିଥିବା 69ତମ ରାଜ୍ୟସ୍ତରୀୟ କବାଡି ଚାମ୍ପିଆନସିପ୍ ଉଦ୍ଯାପିତ ହୋଇଛି । ସୁନ୍ଦରଗଡ ମାଦ୍ରିକାଲୋ ଭବନ ପରିସରରେ ଏହି କବାଡି ଚମ୍ପିଆନସିପ ଜାରି ରହିଥିଲା । ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗରେ ଇଷ୍ଟକୋଷ୍ଟ ରେଲୱେ ଦଳ ଚମ୍ପିଆନ ହୋଇଥିବାବେଳେ ଓ ପୁରୁଷ ବର୍ଗରେ କଟକ ଦଳ ଚମ୍ପିଆନ୍ ହୋଇଛି । ମହିଳା ବର୍ଗରେ ଇଷ୍ଟକୋଷ୍ଟ ରେଲ୍ୱେ ଦଳ ଓ ଅନୁଗୋଳ ଦଳ ମଧ୍ୟରେ ହୋଇଥିଲା ଫାଇନାଲ୍ ମ୍ୟାଚ୍ । ମ୍ୟାଚରେ ଅନୁଗୋଳ ଦଳ 14 ପଏଣ୍ଟ ପାଇଥିବାବେଳେ ଇଷ୍ଟକୋଷ୍ଟ ଦଳ 19 ପଏଣ୍ଟ ସଂଗ୍ରହ କରି ଚମ୍ପିଆନ୍ ହୋଇଥିଲା ।
ସେହିପରି ପୁରୁଷ ବର୍ଗରେ କଟକ ଦଳ ଓ ଓଡ଼ିଶା ପୋଲିସ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ଓଡ଼ିଶା ପୋଲିସ ଦଳ ମାତ୍ର 5 ପଏଣ୍ଟ ପାଇବାକୁ ସକ୍ଷମ ହୋଇଥିବାବେଳେ କଟକ ଦଳ 34 ପଏଣ୍ଟ ହାସଲ କରି ଚମ୍ପିଆନ ଟ୍ରଫି ଟେକିଥିଲା । ଉଭୟ ମହିଳା ଓ ପୁରୁଷ ବର୍ଗ ଦଳ ବଜୟୀ ଟ୍ରଫି ଓ ଅର୍ଥ ରାଶି ନେଇ ଘରକୁ ଫେରିଛନ୍ତି ।
ତିନି ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ଏଭଳି ଆୟୋଜନକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂସଦକୁ ପ୍ରଶଂସା କରିଛନ୍ତି କ୍ରୀଡ଼ାବିତ୍ । ଆଗକୁ ମଧ୍ୟ ଜିଲ୍ଲାରେ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ଜାରି ରହିବ । ସମସ୍ତ ଖେଳ ଓ ଖେଳାଳିଙ୍କ ପାଇଁ ଅକୁଣ୍ଠ ଚିତ୍ତରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ସୁନ୍ଦରଗଡ଼ ଉପଜିଲ୍ଲାପାଳ କହିଛନ୍ତି ।
ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଯୋଗ ଦେଇଥିଲେ । ଏପରି ଏକ ଖେଳକୁ ଆୟୋଜନ କରି ସୁଚାରୁ ରୁପେ ଶେଷ କରିଥିବାରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ସଂସଦକୁ ସାଧୁବାଦ ଦେଇଛନ୍ତି । ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ପାରାଲମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ତଥା ରାଜ୍ୟର ଏକମାତ୍ର ଖେଳାଳି ଭାବେ ଖେଳରତ୍ନ ସମ୍ମାନରେ ସମ୍ମାନିତ ପ୍ରମୋଦ ଭଗତ ଏହି ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ