ସୁବର୍ଣ୍ଣପୁର: ଲକଡାଉନ କାରଣରୁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ଠାରୁ ଧାର୍ମିକ ଅନୁଷ୍ଠାନ ସବୁକିଛି ବନ୍ଦ ରହିଛି । ସୁବର୍ଣ୍ଣପୁର ସହରରେ ଥିବା ଶକ୍ତିପୀଠ ଗୁଡିକ ମଧ୍ୟ ବନ୍ଦ ରହିଛି । ବିଶେଷକରି ଲକଡାଉନ ଯୋଗୁଁ ସୋନପୁର ଗଡଜାତର ଇଷ୍ଟ ଦେବୀ ମା' ସୁରେଶ୍ବରୀଙ୍କ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।
ମାତ୍ର ଏବେ ସହରରେ କଟକଣା ସାମାନ୍ୟ କୋହଳ ହେବା ଫଳରେ ଦୋକାନ ବଜାର ଖୋଲିବା ସହିତ ଜୀବନ ଯାତ୍ରା ସ୍ବଭାବିକ ହୋଇଛି । ତେଣୁ ମନ୍ଦିର ପୂଜକ ମାନେ ମଧ୍ୟ ମନ୍ଦିର ଖୋଲିବା ଓ ପୂଜା ସାମଗ୍ରୀ ବିକ୍ରି କରୁଥିବା ଛୋଟିଆ ଦୋକାନୀମାନେ ମଧ୍ୟ ଦୋକାନ ଖୋଲିବା ନେଇ ଦାବି କରିଛନ୍ତି।
ବର୍ତମାନ କେବଳ ଜଣେ ଜଣେ ପୂଜକ ଦେବୀ ପୀଠ ଗୁଡିକରେ ଦୈନନ୍ଦିନ ନୀତିକାନ୍ତି କରୁଛନ୍ତି। ଦେବୀ ସୁରେଶ୍ବରୀଙ୍କ ସମେତ ଅଷ୍ଟଚଣ୍ଡୀଙ୍କ ମନ୍ଦିର ବି ବନ୍ଦ ରହିଛି । ଦୈନିକ ହଜାର ହଜାର ଭକ୍ତ ଦେବୀଙ୍କ ଦର୍ଶନ କରିବା ପାଇଁ ଆସୁଥିଲେ।
ପ୍ରାୟ 20ରୁ ଅଧିକ ପୂଜକ ଶ୍ରଦ୍ଧାଳୁଙ୍କ ପାଖରୁ ଦକ୍ଷିଣା ପାଉଥିଲେ ଓ ସେହି ଦକ୍ଷିଣାରେ ତାଙ୍କର ପରିବାର ଚଳୁଥିଲା। ମାତ୍ର ଏବେ ସବୁ ଶକ୍ତିପୀଠ ବନ୍ଦ ଥିବାରୁ ଏହାକୁ ନେଇ ପୂଜକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ