ସୁବର୍ଣ୍ଣପୁର: ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା । ସୁବର୍ଣ୍ଣପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ୱରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର କାର୍ଯ୍ୟକର୍ତ୍ତା ତଥା ଅଭିଯୋଗକାରୀ ମହିଳା ରଞ୍ଜିତା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ଦାବି ଉପସ୍ଥାପନ କରିଛନ୍ତି ।
ରଞ୍ଜିତା ଜମ୍ଭାଳିପାଲି ଗାଁର ଦେବାଶିଷଙ୍କୁ ଉଭୟ ପକ୍ଷଙ୍କ ସହମତିରେ ଚାରମାଲ ଥାନାରେ ବିବାହ କରିଥିଲେ । ହେଲେ ଶାଶୁ ଘର ଲୋକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ପୋଲିସର ଆଶ୍ରୟ ନେଇଥିଲେ । ପୋଲିସ ବିରମହରାଜପୁର ସ୍ୱଧାର ଗୃହରେ ତାଙ୍କୁ ଆଶ୍ରୟ ପ୍ରଦାନ କରିଥିଲେ । ହେଲେ ସେଠାକୁ ବି ତାଙ୍କ ସ୍ବାମୀ ଓ ଶାଶୁ ଘର ଲୋକେ ଆସି ଗାଳି ଗୁଲଜ କରିବା ସହିତ ନିର୍ଯାତନା ଦେଉଥିବା ରଞ୍ଜିତା ଅଭିଯୋଗ କରିଛନ୍ତି । ତେବେ ରଞ୍ଜିତାଙ୍କ ବାପା ତାଙ୍କୁ ସ୍ୱଧାର ଗୃହରୁ ଘରକୁ ଆଣି କିଛି ଦିନ ପାଖରେ ରଖିବା ପରେ ପୁଣି ଶାଶୁ ଘରକୁ ଯାଇ ଆଲୋଚନା କରି ଛାଡିଥିଲେ ।
ହେଲେ ପୁଣି ନିର୍ଯାତନା ଆରମ୍ଭ କରିବାରୁ ରଞ୍ଜିତା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ନିକଟରେ ଅଭିଯୋଗ କରିଥିଲେ । ଫଳରେ ସୁବର୍ଣ୍ଣପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ରଞ୍ଜିତା । ସେ ଉଚ୍ଚ ଶିକ୍ଷିତା ହୋଇଥିବାରୁ କୌଣସି ଏକ ଯାଗାରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଜିଲ୍ଲାପାଳ ତାଙ୍କ ଅଭିଯୋଗକୁ ବିଚାରକୁ ନେଇ ଏଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ