ସୁବର୍ଣ୍ଣପୁର: କୋଭିଡ ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ସାପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲି ଓ ତହିଁ ପରଦିନ ସପ୍ତାହନ୍ତ ସଟଡାଉନ କରାଯିବ। ପ୍ରତ୍ୟେକ ସପ୍ତାହ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ସାପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି।
ସେହିପରି ସପ୍ତାହକ ଯାକ ନାଇଟ କର୍ଫ୍ୟୁ ବା ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସ୍ୱତନ୍ତ୍ର ରିଲିଫ କମିଶନର ଓ ଜିଲ୍ଲା ପ୍ରଶାସନର ଆଦେଶକୁ ସଦର ପୌର ପରିଷଦ ଡ଼ାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରିଛି। ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଯାଉଥିବା ବେଳେ ଜିଲ୍ଳା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରାଯାଉଛି।
ସଂନ୍ଧ୍ୟା ସମୟରୁ ସହରର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରି ଦେଉଛନ୍ତି । ରାତ୍ରୀ 9 ଟା ବେଳକୁ ସାରା ସହର ଜନଶୂନ୍ୟ ହୋଇପଡ଼ୁଛି । ଗତକାଲି(ଗୁରୁବାର) ପର୍ଯ୍ୟନ୍ତ ଜିଲ୍ଲାରେ 257 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଆଜି(ଶୁକ୍ରବାର) ପୁଣି 65 ଜଣ ପଜେଟିଭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଜିଲ୍ଲାରେ ଏବେ ମୋଟ 303 ଜଣ କୋରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ତେବେ ସ୍ୱତଃ ସହରବାସୀ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରୁଥିବା ବେଳେ କିଛି ଅସାମାଜିକ ତତ୍ୱ କର୍ଫ୍ୟୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । କାଁଭାଁ ଗାଡି ମୋଟର ଚଳାଚକ ଓ ଜରୁରୀ କାଳୀନ ସେବାକୁ ବାଦ ଦେଲେ ସାରା ସହର ସମ୍ପୂର୍ଣ୍ଣ ବନ୍ଦ ରହୁଛି।
ସଦର ପୌର ପରିଷଦ ପକ୍ଷରୁ ସହରର ସମସ୍ତ ପଡାରେ ସାପ୍ତାହିକ ସଟଡାଉନ ଓ ସାପ୍ତାହିକ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ତେବେ କୋରୋନାର ଦ୍ଵିତୀୟ ଲହର ଜିଲ୍ଲାବାସୀଙ୍କୁ ଭୟଭୀତ କରିଥିବା ଅନୁମାନ କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ