ସୁବର୍ଣ୍ଣପୁର: ନଈକୂଳର ଶୋଷିଲା ଗାଁ । ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ଲୋକଙ୍କ ଶୋଷ ମେଣ୍ଟାଉଛି ଦୁଇଟି ମାତ୍ର ନଳକୂଅ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଶରଧାପାଲି ଗାଁର କଥା । ପାଣି ମୁନ୍ଦାଏ ପାଇଁ ଛଟପଟ ହେଉଛନ୍ତି ଗ୍ରାମବାସୀ । ମାଇଲ ମାଇଲ ବାଟ ଚାଲିଲେ ଭରୁଛି ଗରା ମାଠିଆ । ସେପଟେ ପାଇପ ଲାଇନ ବିଛାଇବା ନେଇ ବାରମ୍ବାର ଦାବି ହେଉଥିଲେ ବି ମାତ୍ର ଗୋଟିଏ ନଳକୂଅ ବସାଇ ଚୁପ ବସିଛି ପ୍ରଶାସନ ।
ବଡ କଥା ହେଉଛି ଗାଁଟି ମହାନଦୀର କୂଳରେ ଥାଇ ବି ବର୍ଷ ତମାମ ଦେଖା ଦେଇଥାଏ ପାନୀୟ ଜଳ ସମସ୍ୟା । ସ୍ନାନ, ଶୌଚ ଠାରୁ ଆରମ୍ଭ କରି ଅନ୍ୟାନ କାମ ଯେଣତେଣେ ହୋଇଯାଏ । ଖାଲି ଶୋଷିଲା ରହିଯାନ୍ତି ଗାଁ ଲୋକେ । ଗ୍ରାମବାସୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଗତ 10 ବର୍ଷ ତଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ଗଭୀର ନଳକୂପ ଖୋଳା ଯାଇଥିଲା । କିନ୍ତୁ ଆବଶ୍ୟକ ପାଣି ବାହାରି ନଥିଲା । ତେଣୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକେ ମହାନଦୀ ଉପରେ ନିର୍ଭର କରୁଛନ୍ତି ।
ଅନ୍ୟପଟେ ସ୍ବଚ୍ଛ ଭାରତ ଅଭିଯାନରେ, ଗାଁରେ ଘରେ ଘରେ ଶୌଚାଳୟ ନିର୍ମାଣ କରାଯାଇଛି । ହେଲେ ପାଣି ମିଳୁନଥିବାରୁ ସେଗୁଡିକ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । ଫଳରେ ବାଧ୍ୟ ହୋଇ ଲୋକେ ଶୌଚ ପାଇଁ ବାହାରକୁ ଯାଉଛନ୍ତି । ତେବେ ଲୋକଙ୍କ ସମସ୍ୟା ନେଇ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ