ସୁବର୍ଣ୍ଣପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ସହର ସୁବର୍ଣ୍ଣପୁର । ସହରର ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ସହିତ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ତ୍ରିବେଣୀ ସଙ୍ଗମ ଆରତୀ କମିଟି ବହୁଦିନରୁ ଦାବି କରିଆସୁଛି । ଶିଳ୍ପ ବିହୀନ ଏହି ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ବିକାଶ କରାଗଲେ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ତ୍ରିବେଣୀ ସଙ୍ଗମ ଆରତୀ କମିଟିର ସଂଯୋଜକ କହିଛନ୍ତି ।
ଚିରସ୍ରୋତା ମହାନଦୀ, ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଂଗମରେ ଅବସ୍ଥିତ ଏହି ପ୍ରାଚୀନ ସହର ସବୁ ସମୟରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ । ୧୬୪୦ ମସିହାର ଚୌହାନ ରାଜପ୍ରାସାଦ, ରାମେଶ୍ବର ଓ ସୁବର୍ଣ୍ଣମେରୁଙ୍କ ସମେତ ଅଷ୍ଟଶମ୍ଭୁଙ୍କ ପୀଠ, ଦେବୀ ସୁରେଶ୍ବରୀ ଓ ଭଗବତୀଙ୍କ ସମେତ ଅଷ୍ଟଚଣ୍ଡୀ ପୀଠ ଏବଂ ଶ୍ରୀଗୋପାଳଜୀ ଓ ଶ୍ରୀ ବଡଜଗନ୍ନାଥଙ୍କ ସମେତ ଅଷ୍ଟବିଷ୍ଣୁ ସହରରେ ବିରାଜିତ । ଅଷ୍ଟୋତ୍ତର ୧୦୮ ମନ୍ଦିର ସମେତ ମହାନଦୀ ଗର୍ଭର ଦୋରୁହରେ ଦେବୀ ମା' ଲଙ୍କେଶ୍ବରୀ ଓ ଶୈବପୀଠ ଖଣ୍ଡିଆ ଦେଉଳ ସବୁ ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।
ଚିତ୍ରୋତ୍ପଳା ମହାନଦୀର ପ୍ରଖର ସ୍ରୋତ, ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ପାହାଡ ସଦୃଶ ପଥର, ମହାନଦୀ ଗର୍ଭରେ ବିଭିନ୍ନ ପ୍ରକାର ଗୁଳ୍ମଲତା ସହିତ ମହାନଦୀରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ଏହି ପ୍ରାଚୀନ ସହରର ପ୍ରାକୃତିକ ବିଭବ ବୋଲି ସବୁ ସମୟରେ ବିବେଚନା କରାଯାଇଥାଏ । ଏହା ସହିତ ଦେବୀ ମା' ସୁରେଶ୍ବରୀ ଓ ବାବା ସୁବର୍ଣ୍ଣମେରୁଙ୍କୁ ନେଇ ବାର ମାସରେ କେତେ ଯାନିଯାତ୍ରା ରାଜ୍ୟ ତଥା ଦେଶର ବିଭିନ୍ନ କୋଣରୁ ଜନସାଧାରଣଙ୍କୁ ଆକୃଷ୍ଟ କରି ଆସିଛି ।
ତେବେ ଏହି ପର୍ଯ୍ୟଟନ ପୀଠର ବିକାଶ ସହିତ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଓ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ତ୍ରିବେଣୀ ସଙ୍ଗମ ଆରତୀ କମିଟି ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରି ଆସୁଛି । ଶିଳ୍ପ ବିହୀନ ଏହି ଜିଲ୍ଲାରେ ପର୍ଯ୍ୟଟନପୀଠର ବିକାଶ କରାଗଲେ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ତ୍ରିବେଣୀ ସଙ୍ଗମ ଆରତୀ କମିଟିର ସଂଯୋଜକ ଶ୍ୟାମା ଓମ ପ୍ରସାଦ ମିଶ୍ର କହିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର