ସୁବର୍ଣ୍ଣପୁର: ଜିଲ୍ଲାର ସ୍ଥାନୀୟ ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଜିଲ୍ଲା ଉନ୍ନୟନକୁ ନେଇ ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖ ନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସଭାପତି ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ଆଗରେ ସଂଘର ଭିଜନ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲାପାଳଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା । ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ,ଚରଦାର ଐତିହାସୀକ କପିଳେଶ୍ବର ଓ ବୈଦ୍ୟନାଥର ପ୍ରାଚୀନ କୋଶଳେଶ୍ବର ମନ୍ଦିର, ସନ୍ଥ ଭୀମଭୋଇଙ୍କ ସମାଧି ପୀଠ, ରାମପୁରସ୍ଥିତ ପୂଜା ଡୁଙ୍ଗୁରି ତଥା ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁ, ଅଷ୍ଟଚଣ୍ଡୀଙ୍କ ସହର ସୁବର୍ଣ୍ଣପୁରରେ ଥିବା ପର୍ଯ୍ୟଟନ ଭିତ୍ତିଭୂମୀର ବିକାଶ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା ।
ଏହା ବ୍ୟତିତ ଖୋର୍ଦ୍ଧା ବଲାଙ୍ଗିର ରେଲ୍ୱେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟରେ ତ୍ବରାନ୍ବିତ, ସୁବର୍ଣ୍ଣପୁର ସହରର ରିଂରୋଡ ପ୍ରକଳ୍ପ ସଂପୂର୍ଣ୍ଣ ଆଦି ବିଷୟ ଜିଲ୍ଲାପାଳଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ତଥା ଉନ୍ନୟନ ଆଦିର ସମସ୍ୟାକୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କର ସୁରକ୍ଷା, ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସଂପୂର୍ଣ୍ଣ ଆଦି ବିଷୟ ସଂଘର ପରିଚାଳନା ପରିଷଦର ସଭ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ସୁବର୍ଣ୍ଣପୁରରେ ନିଜର ତିନି ସପ୍ତାହର ଅଭିଜ୍ଞତା ଆଲୋଚନା କରିବା ସହିତ ଜିଲ୍ଲା ଉନ୍ନୟନ ସାଙ୍ଗକୁ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ