ସୁବର୍ଣ୍ଣପୁର: ସହରର ମଧ୍ୟ ଭାଗରେ ଥିବା କଂସେଇଖାନା ସହର ବାହାରକୁ ସ୍ଥାନାନ୍ତର ନେଇ ବିଜେପିର ଦାବି । କାହିଁ କେତେ ଦିନରୁ ଖମ୍ବେଶ୍ବରୀ ମନ୍ଦିର ପାଖ ପୌର ପରିଷଦ ଅଧିନରେ ଥିବା କଂସେଇଖାନା ଚାଲି ଆସିଛି । ନିକଟରେ ଚମାର ପଡାର ଅଙ୍ଗନୱାଡି କେନ୍ଦ୍ର, ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟ, ଚମାର ପଡାର ପ୍ରାଥମିକ ବିଦ୍ୟାଳୟ ରହିଛି । ସେହିପରି ଅନତି ଦୂରରେ ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିର ରହିଛି ।
ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଝରକା ପଟୁ କଂସେଇଖାନା ଦେଖା ଯାଉଛି । ଝରକା ମଧ୍ୟ ଦେଇ ଛାତ୍ରଛାତ୍ରୀ ମାନଙ୍କର ଛେଳି ମେଣ୍ଢା ଆଦି ହତ୍ୟା କରାଯାଉଥିବା ଦୃଶ୍ୟ ସେମାନଙ୍କ ନଜରରେ ପଡୁଛି । ପ୍ରାୟ ଦୁଇଟି ଧାଡିରେ ଅଧ ଏକରରୁ ଅଧିକ ପରିମିତ ଯାଗାରେ ଏହି କଂସେଇଖାନା ଦୀର୍ଘ ଦିନରୁ ଚାଲି ଆସିଛି । ଦୁଇଟି ପାର୍ଶ୍ବରେ ପ୍ରାୟ 16 ଗୋଟି ଷ୍ଟଲ ରହିଛି । କଂସେଇଖାନାରୁ ନିର୍ଗତ ହେଉଥିବା ଦୂଷିତ ପାଣି ପାଇଁ ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହେଉଛି ।
ଅନେକ ସମୟରେ ଡ୍ରେନେଜ ଗୁଡିକ ସଫା କରାଯାଉ ନ ଥିବାରୁ ସହର ମଧ୍ୟ ଭାଗରେ ଅତି ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି । ତେବେ ସହର ବାହାରେ ଏକ ନିର୍ଦ୍ଧିଷ୍ଟ ଯାଗାରେ କଂସେଇଖାନା ଓ ଚିକେନ ସେଣ୍ଟର କରିବା ପାଇଁ ପୌର ପରିଷଦ ପାଖରେ ଦାବି ହୋଇ ଆସୁଥିଲେ ହେଁ କେହି ଭ୍ରୁକ୍ଷେପ କରୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ପୌର ପରିଷଦ ଏକ ଯୋଜନା ପ୍ରସ୍ତୁତ କରି କଂସେଇଖାନା ସହର ବାହାରକୁ ସ୍ଥାନାନ୍ତର ନ କଲେ ତୀବ୍ର ଆନ୍ଦୋଳନ ହେବ ବୋଲି ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ