ସୁବର୍ଣ୍ଣପୁର: ରାଜ୍ୟରେ ଦୃତ ଗତିରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଆଗାମୀ 30 ତାରିଖ ଯାଏଁ ସଟଡାଉନ ଘୋଷଣା କରାଯାଇଛି। ସହରର ସଚେତନ ନାଗରିକ ସଂଘ ପକ୍ଷରୁ ସଟ ଡାଉନ ଡାକରା ଦିଆ ଯାଇଥିବା ବେଳେ ଏହାକୁ ଘରୋଇ ଟାକ୍ସି ମାଲିକ ସଙ୍ଘ, ବଣିକ ସଙ୍ଘ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସମର୍ଥନ କରୁଛନ୍ତି।
ଏବେ ଜୀବନ ଯାତ୍ରା ସ୍ବାଭାବିକ ହୋଇ ଥିବାରୁ ବିଭିନ୍ନ ଯାଗାରେ ଲୋକଙ୍କ ଗହଳି ସହ କୋଭିଡ ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି। ଫଳରେ ଏହି କୋରୋନା ଚେନ ଭାଙ୍ଗିବା ପାଇଁ ସଟଡାଉନର ନିଷ୍ପତ୍ତି ନିଆ ଯାଇଛି । ସହରରେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଛକ ଗୁଡ଼ିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଉଛି।
ଲୋକଙ୍କୁ ହାତ ଧୋଇବା ,ମାସ୍କ ପରିଧାନ କରିବା ତଥା ଗହଳି ନ କରି ସାମାଜିକ ଦୂରତ୍ବ ରକ୍ଷା କରିବା ଦିଗରେ ଲୋକଙ୍କ ଭିତରେ ସଚେତନତା କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ