ସୁବର୍ଣ୍ଣପୁର: ସାପ୍ତାହିକ ହାଟରେ ହନ୍ତସନ୍ତ ଗ୍ରାହକ ଓ ବିକ୍ରେତା । ବଜାରର କଳେବର ବୃଦ୍ଧି ପାଉଥିବାବେଳେ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ । ପ୍ରବଳ ଖରାରେ ନା କିଣି ହେଉଛି ନା ବିକ୍ରି କରିହେଉଛି । ଶୋଷ କଲେ ପାଣି କି ଖରାରୁ ରକ୍ଷାରୁ ଛାଇ ଟିକେ ପାଇଁ ଡହଳବିକଳ ହେବାକୁ ପଡୁଛି । ବ୍ୟବସାୟୀଙ୍କ ପାଇଁ ନା ଅଛି ପିଣ୍ଡି ନା ଅନ୍ୟ ବ୍ୟବସ୍ଥା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର ସାପ୍ତାହିକ ବଜାରରେ । ଖରାଦିନ ଥିବାରୁ ବେଶ୍ ହନ୍ତସନ୍ତ ହେଉଛନ୍ତି ଗ୍ରାହକ ଓ ବିକ୍ରେତା ।
ମଙ୍ଗଳବାର ହେଲେ ଲାଗେ ଲୋକଙ୍କ ଭିଡ । ସଂନ୍ଧ୍ୟା ଯାଏଁ ଲାଗି ରହେ ଗହଳିଚହଳି । କାରଣ ସେଦିନ ଥାଏ ସୁବର୍ଣ୍ଣପୁରର ସାପ୍ତାହିକ ହାଟ । ହାଟରେ କିଏ ଡାଲି ଚାଉଳଠୁ ଆରମ୍ଭ କରି ଗ୍ରୋସରିର ଗୋଦାମ ଖୋଲିଥାଏ ତ । ଆଉ କିଏ ଖୋଲି ବସିଥାଏ ଚୁଡିର ପସରା । ପୁଣି କିଏ ବାଡିରୁ ଆଣିଥିବା ପରିବା ବିକିବା ପାଇଁ ଚାହିଁ ରହିଥାଏ ଗ୍ରାହକକୁ । ବ୍ୟବସାୟ ଆଉ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ପଡୋଶୀ ବୌଦ୍ଧ, ବରଗଡ, ସମ୍ବଲପୁର, ବଲାଙ୍ଗୀର ତଥା ରେଢାଖୋଲରୁ ଛୁଟି ଆସିଥାନ୍ତି ହଜାର ହଜାର ଗ୍ରାହକ ଓ ବ୍ୟବସାୟୀ ।
ବଜାରର କଳେବର ଦିନକୁ ଦିନ ବୃଦ୍ଧି ଘଟୁଥିବାବେଳେ ଛୋଟିଆ ହୋଇଯାଇଛି ହାଟ । ଭାଙ୍ଗି ପଡିଛି ବ୍ୟବସାୟୀଙ୍କ ପିଣ୍ଡି । ନା ଅଛି ପାନୀୟ ପାଣିର ସୁବିଧା ନା ଛାଇର ବ୍ୟବସ୍ଥା । ପ୍ରଚଣ୍ଡ ଖରାରେ ମୁଣ୍ଡ ଉପରେ ଝୁଲୁଛି କେବଳ ଖଣ୍ଡିଏ ଜରି ପାଲ । ସେପଟେ ପୌରପରିଷଦ ପକ୍ଷରୁ ଆଦାୟ ହେଉଛି ମୋଟା ଅଙ୍କର ରାଜସ୍ବ । କିନ୍ତୁ ଆବଶ୍ୟକୀୟ ସୁବିଧା ଟିକେ ମିଳୁନଥିବାରୁ ହାଟକୁ ଆସି ହଟହଟା ହେଉଛନ୍ତି ଲୋକେ । ପ୍ରଶାସନର ଏଭଳି ଅବ୍ୟବସ୍ଥା ନେଇ ସ୍ଥାନୀୟବାସୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ।
ରାଜ ରାଜୁଡା ଅମଳରୁ ଚାଲି ଆସୁଥିବା ଏହି ହାଟ ଦୈନନ୍ଦିନ ଜୀବନ ପାଇଁ ପାଲଟିଛି ଏକ ସୁଲଭ ସ୍ଥାନ । ହେଲେ କେବେ ସୁଧୁରୁଛି ଗ୍ରାହକ ଓ ବ୍ୟବସାୟୀଙ୍କ ସମସ୍ୟା ଆଉ କେବେ ପଡୁଛି ପୌରପରିଷଦର ନଜର, ତାହା କେବଳ ଦେଖିବାକୁ ବାକି ରହିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ