ସୁବର୍ଣ୍ଣପୁର: ପ୍ରକୃତି ପୂଜା, ମାଟି ମା ସହିତ ବୃକ୍ଷ ଉପାସନା । କେଉଁ ଆବାହମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସୀ ସଂପ୍ରଦାୟର ଲୋକେ ପାଳନ କରି ଆସୁଥିବା ମା କରମସାନି ପୂଜାରେ ପ୍ରତିଫଳିତ ହେଉଛି । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହିତ ଧନ, ଜନ, ଗୋପ ଓ ଲକ୍ଷ୍ମୀ ଚତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଭାଦ୍ରବ ମାସର ଏହି ପର୍ବ ସୁବର୍ଣ୍ଣପୁର ଜିଲ୍ଲାର ପୁରପଲ୍ଲୀରେ ବେଶ ଧୂମଧାମର ସହିତ ପାଳନ କରାଯାଏ ।
ତୁହି ମା କରମସାନି ....ଅପୁତ୍ରୀକ କେ ପୁତ୍ର ଦାନୀ । ଭାଦ୍ରବ ମାସ ଶୁକ୍ଲ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପୁର ପଲ୍ଲୀର ପ୍ରତିଟି ଆଦିବାସୀ ପଡାରେ ଶୁଭେ ଏହି ଗୀତ । ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବ ଦ୍ବାଦଶୀ ତିଥିର ସଂଧ୍ୟାରେ ସମାପନ ହୁଏ ।
ନଦୀରୁ ବାଲି ଆଣି ସାତ ପ୍ରକାର ଶସ୍ୟକୁ ସାତ ଦିନ ଆଗରୁ ଗଜା କରି ଜଙ୍ଗଲରୁ କରମା ଡାଳକୁ ବରଣ କରି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଏ । ଏକାଦଶୀ ତିଥି ରାତ୍ରୀରେ ସାତଭଉଣୀ ମାଇମୁଜୁଲିକୁ ଆଣି ମଡୁଆ ତଳେ ରଖି ସାତ ପ୍ରକାର ଫୁଲ, ସାତ ପ୍ରକାର ଫଳ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ମା କରମସାନୀଙ୍କୁ ଆରାଧନା କରିଥାନ୍ତି ଆଦିବାସୀମାନେ । ଏହି ପର୍ବର ମୁଖ୍ୟ ଆକର୍ଷଣ ହେଲା ଆଦିବାସୀମାନଙ୍କର କରମସାନୀ ନୃତ୍ୟ । ଧଂଗରା, ଧାଂଗରୀଠାରୁ ଆରମ୍ଭ କରି ପିଲା ଛୁଆ ବୁଢା ସଭିଏଁ ଆନନ୍ଦରେ ମା’ କରମସାନୀଙ୍କ ମଡୁଆ ଚାରି ପାଖରେ ନାଚିଥାନ୍ତି ରାତିସାରା ।
ମାଦଲର ତାଳେ ତାଳେ କରମସାନୀଙ୍କ ଗୀତରେ ମତୁଆଲା ହୋଇଥାନ୍ତି ଆଦିବାସୀମାନେ । ହେଲେ ଏଥର କୋରୋନା ପାଇଁ କେବଳ ରୀତିନୀତିରେ ସୀମିତ ହୋଇଛି ଏହି ପର୍ବ । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷସାରା ଅନ୍ନର ଅଭାବ ଦୂର ହେବା ସହିତ ଦୁଃଖ କଷ୍ଟ ଉଭେଇ ଯିବାର ବିଶ୍ବାସ ରହିଛି । ଆଧୁନିକତାର ପ୍ରଭାବରେ ଆଜି ବି ମଳିନ ପଡିନାହିଁ ମା’ କରମସାନି ପରମ୍ପରା । ବର୍ଷସାରା ହାଡଭଂଗା ପରିଶ୍ରମ କରୁଥିବା ଆଦିବାସୀମାନେ ଗାଁରୁ ସହରଯାଏଁ ଏକତ୍ର ଏହି ପର୍ବ ପାଳନ କରି ମା କରମସାନୀଙ୍କ ପାଖରେ ପୂଜା ଆରାଧନା କରିବାର ସଂସ୍କୃତି ଆଜି ବି ବଜାୟ ରଖିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ