ସୁବର୍ଣ୍ଣପୁର: ଆଗକୁ ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ଚଳିତବର୍ଷ ଏହି ବଳିଯାତ୍ରାକୁ ମହା ସମାରୋହରେ ପାଳନ କରିବାକୁ ଦେବୋତ୍ତର ବିଭାଗ ଉଦ୍ୟମ ଆରମ୍ଭ କରିଛି । ମାତ୍ର ବଳି କାର୍ଯ୍ୟ ପାଇଁ ସେବାୟତମାନେ ଅଧିକ ଅର୍ଥ ଦାବି କରୁଛନ୍ତି । ଏନେଇ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ସେବାୟତମାନଙ୍କୁ ନୋଟିସ ଜାରି କରିଛନ୍ତି ।
ରାଜା ରାଜୁଡା ଅମଳରୁ ସେବାୟତମାନେ ଭୁ-ସମ୍ପତ୍ତି ଭୋଗ ଦଖଲ କରି ଆସୁଛନ୍ତି । ତଥାପି ବଳି କାର୍ଯ୍ୟ ପାଇଁ ଅଧିକ ଅର୍ଥ ଦାବି କରୁଛନ୍ତି । ମନ୍ଦିରରେ ମାଗଣା ସେବା କାର୍ଯ୍ୟ ପାଇଁ ରାଜା ଜମିଜମାର ବ୍ୟବସ୍ଥା କରିଥିଲେ । ହେଲେ ସେବାୟତମାନେ ଏବେ ଏହାକୁ ମାନିବାକୁ ଅମଙ୍ଗ ହେଉଛନ୍ତି । ଫଳରେ ଉପଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର 3 ଦିନ ମଧ୍ୟରେ ଉତ୍ତର ଦେବାକୁ ଉଲ୍ଲେଖ ରହିଛି । ସନ୍ତୋଷଜନକ ଉତ୍ତର ନ ଦେଲେ ଦେବୋତ୍ତର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ସମ୍ପତ୍ତିରୁ ବେଦଖଲ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ଉକ୍ତ ମାମଲାରେ 3 ଜଣ ଡାଙ୍ଗୁଆ ସେବାୟତ ଓ ଜଣେ ଛତରିଆ ସେବାୟତ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଦେବୋତ୍ତର ଅଧିକାରୀଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବଳିଯାତ୍ରା କମିଟି ଓ ଜନସାଧାରଣ ସ୍ବାଗତ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ