ସୁବର୍ଣ୍ଣପୁର: ନୂଆଁଖାଇ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲା । ନୂଆଁଖାଇ ହାଟ ପାଇଁ ପୌର ପରିଷଦ ପାଖରେ ଦାବି । ଏନେଇ ଚଳିତ ବର୍ଷ ସ୍ବତନ୍ତ୍ର ନୂଆଖାଇ ହାଟ ବସାଇବାକୁ ସଦର ପୌର ପରିଷଦ ପାଖରେ ଦାବି । ଲଗାତାର ଦୁଇ ବର୍ଷ କୋରନା ପାଇଁ ସ୍ବତନ୍ତ୍ର ନୂଆଁଖାଇ ବଜାରକୁ ବାତିଲ କରି ଦିଆଯାଇଥିଲା । ତେବେ ନୂଆଁଖାଇ ନିମନ୍ତେ ଘରେ ବ୍ୟବହାର ହେଉଥିବା ଦୈନନ୍ଦିନ ଜୀବନର ସାମଗ୍ରୀ ସବୁ ନୂଆଁ ଭାବେ କିଣାବିକା ହେଉଥିବାରୁ ସ୍ବତନ୍ତ୍ର ବଜାର ବସାଇବାକୁ ଦାବି ହୋଇଛି ।
ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ । ନୂଆ ଖାଇ ପାଇଁ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ସବୁଠି ଲାଗିରହିଛି ଭିଡ଼ । କାରଣ ନୂଆଖାଇ ପୂର୍ବରୁ ଇଷ୍ଟଦେବା ଦେବୀଙ୍କ ନିମନ୍ତେ ନୂଆ ବସ୍ତ୍ର ପୂଜା ସାମଗ୍ରୀ କିଣାଯିବ । ମାଟି ହାଣ୍ଡି ଓ ବାଉଁଶରେ ତିଆରି ନୂଆଁ ଘରୋଇ ଉପକରଣ ନୂଆଁ ଝାଡୁ ଠାରୁ ଆରମ୍ଭ କରି ପାଛିଆ, କୁଲା କିଣାଯିବ । ନୂଆଁ ଖାଇବା ପାଇଁ କିଣାଯିବ ନୂଆଁ ସରିଆଁ ଧାନ । ଘରର ବଡ଼ ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କିଣାଯିବ ନୂଆ ପୋଷାକ । ଏଥିପାଇଁ ଗାଁ ଠୁ ସହର ସବୁଠି ସ୍ବତନ୍ତ ଭାବେ ବଜାର ବସିଥାଏ । କାରଣ ଗୋଟିଏ ସ୍ଥାନରେ ସବୁ ସହଜରେ ମିଳିଥାଏ । ନୂଆଁଖାଇ ହାଟ ପାଇଁ ପୌର ପରିଷଦ ପାଖରେ ଦାବି । ସ୍ଥାନିୟ ବାସିନ୍ଦା କହିଛନ୍ତି, " ସାରୁ , ଧାନୁ କେରା, ଅଏଁଲା, ସରଗି ପତର, ନୂଆ ଚୁଡ଼ା, ମାଟି ହାଣ୍ଡି, ଝାଡ଼ୁ ଆଦି ଘରୋଇ ଉପକରଣ କିଣିଥାନ୍ତି ଲୋକେ । ଏଥିନିମନ୍ତେ ସାପ୍ତାହିକ ହାଟ ଦିନ ବ୍ୟତୀତ ନୂଆଁଖାଇ ଅବସରରେ ସ୍ବତନ୍ତ୍ର ଭାବେ ବଜାର ବସିଥାଏ । ଆଉ ଏଥିପାଇଁ ଡେଙ୍ଗୁରା ଦେଇ ଲୋକଙ୍କୁ ଜଣାଇ ଦିଆଯାଇଥାଏ । ବଜାରକୁ ଭଳିକି ଭଳି ପନି ପରିବା ଆସିଥାଏ । ଲୋକେ ଏଣେ ତେଣେ ବୁଲି ଜିନିଷ ପତ୍ର କିଣାକିଣି କରିବା ଅପେକ୍ଷା ଗୋଟିଏ ସ୍ଥାନରୁ ଲୋକଙ୍କୁ ଏହି ସୁବିଧା ମିଳିଥାଏ । ଏଣୁ ଲୋକଙ୍କୁ ଜିନିଷ ପତ୍ର କିଣାକିଣିରେ ସୁବିଧା ହୋଇଥାଏ ।"
ଏଥିସହ ନୂଆଁଖାଇ ପାଇଁ ଏହି ବଜାରରୁ ସବୁକିଛି ଲୋକେ ନୂଆଁ କିଣିକି ଘରେ ବ୍ୟବହାର କରିଥାନ୍ତି । ତେବେ ନୂଆଁଖାଇ ବଜାରରେ ବ୍ୟବସାୟୀମାନେ ବେଶ କିଛି ବିକ୍ରି କରୁଥିବା ବେଳେ ଗ୍ରାହକମାନେ ବି ନୂଆଁଖାଇ ବଜାରରୁ ହିଁ ସବୁକିଛି କିଣିବାର ସୁଯୋଗ ନେଇଥାନ୍ତି । ତେବେ ନୂଆଁଖାଇ ପୂର୍ବରୁ ନୂଆଁଖାଇ ବଜାର ପାଇଁ ତାରିଖ ଘୋଷଣା କରିବାକୁ ଜନସାଧାରଣ ପୌର ପରିଷଦ ପାଖରେ ଦାବି କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର