ସୁବର୍ଣ୍ଣପୁର: ଚଳିତ ବର୍ଷ କୋରୋନା ପାଇଁ ସବୁ ପୂଜା ଫିକା ଫିକାରେ ପାଳିତ ହୋଇଛି । ସୁବର୍ଣ୍ଣପୁରରେ ମଧ୍ୟ ସମସ୍ତ ପୂଜା ଫିକା ପଡିଛି । କୋଭିଡ 19 କଟକଣା ଭିତରେ ପାରମ୍ପରିକ ଵିଧି ବିଧାନରେ ଖଦାଲ ପଡାରେ ପାଳିତ ହୋଇଛି ନିଆଁମଡ଼ା ଯାତ୍ରା ।
ଦେବୀ ମା' ଠାକୁରାଣୀଙ୍କ ପୂଜା ଆରାଧନା କରିବା ସହିତ ଦେବୀଙ୍କୁ ବଶୀଭୂତ କରିବା ପାଇଁ ପ୍ରାଚୀନ ଲୋକବାଦ୍ୟ ଧୂନକେଲର ବ୍ୟବହାର କରାଯାଇଛି । କଇଁଫୁଲ ଯାତ୍ରାରେ ନିଜକୁ ସାମିଲ କରି ଦେବୀ କୃପା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶ୍ରଦ୍ଧାଳୁ । ସୋନପୁର ଗଡଜାତରେ ଐତିହାସିକ ବଳିଯାତ୍ରା ସରିବା ପରେ ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସର ପ୍ରତିପଦରେ ପାଳିତ ହୁଏ ଏହି ନିଆଁମଡ଼ା ଯାତ୍ରା।
ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ଦେବୀ ପୀଠକୁ। ଦେବୀ ମା କଣ୍ଟା ଦୋଳିରେ ଝୁଲି ଅଙ୍ଗାର ଉପରେ ଚାଲିଯିବା ପରେ ଶ୍ରଦ୍ଧାଳୁମାନେ ସେହି ଜଳନ୍ତା ଅଙ୍ଗାର ଉପରେ ଚାଲି ନିଆଁର ଶୀତଳତା ଅନୁଭବ କରନ୍ତି । ଏହି ଯାତ୍ରାରେ ଅଗ୍ନିସ୍ତମ୍ଭନ ମନ୍ତ୍ରର ପ୍ରୟୋଗ କରାଯାଇ ଅଗ୍ନିକୁ ପ୍ରଥମେ ଶାନ୍ତି କରାଯାଏ। ଯାହା ଉପରେ ଶ୍ରଦ୍ଧାଳୁ ଚାଲିବା ପରେ ବି ପାଦଗୁଡିକୁ କ୍ଷତି ପହଂଚି ନ ଥାଏ।
ତେବେ କୋରୋନା କଟକଣା ଭିତରେ ପାରମ୍ପରିକ ରୀତିନୀତିରେ ଏହି ପର୍ବ ପାଳନ କରାଯାଇଛି। ଏହି ପର୍ବରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇଥାନ୍ତି ହେଲେ ଏ ବର୍ଷ କୋରୋନା ପାଇଁ ଖୁବ କମ୍ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା ।
ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଈଟିଭି ଭାରତ