ସୁବର୍ଣ୍ଣପୁର: ସାରା ବିଶ୍ବ ଏବେ କେରୋନା କବଳରେ । କୋରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବା, ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଆଦିର ଆବଶ୍ୟକ ରହିଛି । କୋରୋନାକୁ ମୁକାବିଲା କରିବାକୁ ଗୁରୁବାର ଅଗ୍ନିଶମ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ସହରକୁ ସାନିଟାଇଜ କରାଯାଇଛି ।
ଦିନକୁ ଦିନ ସହରରେ କୋରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏବେ ଜୀବନଯାତ୍ରା ସ୍ବାଭାବିକ ହୋଇ ଥିବା ବେଳେ ଲୋକଙ୍କ ମନରୁ କୋରୋନା ଭୟ ଉଭେଇ ଗଲାଣି । ଫଳରେ ଲୋକେ ମାସ୍କ ପରିଧାନ କରିବା ଅଥବା ସାମାଜିକ ଦୂରତା ରକ୍ଷା କରିବା ନେଇ ସେତେଟା ସଚେତନ ହେଉ ନାହାନ୍ତି । ଫଳରେ ସଂକ୍ରମଣ ବଢି ବଢ଼ି ଚାଲିଛି।
ତେବେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ସହରର ରାସ୍ତା ଘାଟକୁ ସାନିଟାଇଜ କରାଯାଇଛି । ଜିଲ୍ଲାରେ ଏଯାଏଁ କୋରୋନାରେ 12 ଜଣଙ୍କର ମୃତ୍ୟୁ ହେଲାଣି ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । ସେଥିପାଇଁ ଜିଲ୍ଲା ପୋଲିସ ବିଭାଗ ,ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ