ସୁବର୍ଣ୍ଣପୁର: ବାତ୍ୟା ବନ୍ୟା ପୂର୍ବରୁ ସଜାଗ ରହିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ମୌସୁମୀର ଆଗମନ ପରେ ବର୍ଷା ହେବାକୁ ଥିବାବେଳେ ବାତ୍ୟା ବନ୍ୟା ଭଳି ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି । ଜରୁରୀକାଳୀନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ପୌର ପରିଷଦ କର୍ମଚାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀଙ୍କୁ ନେଇ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସେହିପରି ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସମେତ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲା ପୋଲିସ ଓ ଜିଲ୍ଲା ଅଗ୍ନିଶମ ବିଭାଗ ବେଶ୍ ତତ୍ପର ହୋଇଛି ।
ତେବେ ସହରର ଦୁଇ ବହୁମୁଖୀ ଆଶ୍ରୟସ୍ଥଳୀରେ ଆଜି ଓଡ୍ରାଫ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପାନ୍ଥଶାଳା ନିକଟବର୍ତ୍ତୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ସହରର ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେହିପରି ବଲାଙ୍ଗୀର ଓଡ୍ରାଫ ଦଳ ଆସି ସହରର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପଛରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଯୋଗଦେଇ ଦୁର୍ବିପାକ ଓ ବନ୍ୟା ବାତ୍ୟାର ପ୍ରଭାବରୁ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର କୌଶଳର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ପୂର୍ବରୁ ସହରର ଅଗ୍ନିଶମ ବିଭାଗ ପକ୍ଷରୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଥିବା ଉପକରଣଗୁଡିକର ପରୀକ୍ଷା କରାଯାଇଥିଲା । ସେହିପରି ନୂତନ ଉପକରଣ ଗୁଡିକର ପରୀକ୍ଷା ସାଙ୍ଗକୁ ପୁରୁଣା ଉପକରଣଗୁଡିକର ମରାମତି କରି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଅଗ୍ନିଶମ କର୍ମଚାରମାନେ ଏହି ପ୍ରଶିକ୍ଷଣରେ ନିଜକୁ ସାମିଲ କରି କିଭଳି ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ କରାଯିବ ଓ ଲୋକଙ୍କ ଧନଜୀବନର ସୁରକ୍ଷା ପ୍ରଦାନ କରାଯିବ ସେ ସଂପର୍କରେ ବିଭିନ୍ନ କୌଶଳ ଶିକ୍ଷା କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଆୟୋଜିତ ଜରୁରୀକାଳୀନ ସେବା ବୈଠକରେ ଜିଲ୍ଲାର ସମସ୍ତ ଜରୁରୀକାଳୀନ ବିଭାଗକୁ ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଥିଲା ।
ତେବେ ଜିଲ୍ଲାରେ ଅନେକ ଜଳଉତ୍ସ ରହିଥିବା ବେଳେ ନଦୀନାଳ ବହୁଳ ଜିଲ୍ଲାରେ ପ୍ରତିବର୍ଷ ବନ୍ୟାରେ ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି । ବିଶେଷକରି ସୁକତେଲ ,ମହାନଦୀ, ଅଙ୍ଗନଦୀ ଓ ତେଲନଦୀ କୂଳିଆ ଗାଁ ଲୋକେ ବନ୍ୟା ଦାଉରେ ବିଶେଷ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ନଦୀକୂଳିଆ ଗାଁ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି । ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ଓ ଯତ୍ନବାନ ବୋଲି ଜରୁରୀକାଳୀନ ବିଭାଗ ସୂଚନା ଦେଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର