ସୁବର୍ଣ୍ଣପୁର : ଗୁହାରି ଶୁଣିଲାନି ପ୍ରଶାସନ । ଶୀତ ଦିନରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନକରିବା ପାଇଁ ପ୍ରଶାସନ ପାଖରେ ତିନୋଟି ପରିବାର ଲୋକେ ଗୁହାରି କରିଥିଲେ । ପିଲା ଛୁଆ ଧରି ଧାରଣା ବି ଦେଇଥିଲେ । ହେଲେ ପ୍ରଶାସନ ଏମାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ସରକାରୀ ଜମିରେ ଘର କରି ରହୁଥିବା ଏହି ପରିବାରମାନଙ୍କୁ ତଡ଼ି ଦେଇଛି ପ୍ରଶାସନ (administration demolished)। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକ ଡିଏଓ କଲୋନୀରେ ।
ଏହି କଲୋନୀର ରାସ୍ତାର ଡାହାଣ ପାର୍ଶ୍ବରେ ବହୁ ବର୍ଷ ହେଲା ଏମାନେ ଘର କରି ରହି ଆସୁଥିଲେ । ଜବରଦଖଲ ଉଚ୍ଛେଦ ପାଇଁ ସୁମନ୍ତ ସାହୁ, ହରି ସାହୁ ଓ ଅର୍ଜୁନ ସାହୁ ଏହି ତିନୋଟି ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ନୋଟିସ୍ ପାଇବାପରେ ଉକ୍ତ ପରିବାର ଗୁଡିକ ବେପରୁଆ ହୋଇ ଯାଗା ଛାଡି ନଥିଲେ । ତୁରନ୍ତ ଘର ଛାଡିବା ପାଇଁ ପୁଣି କୁହାଯିବାରୁ ଏହି ପରିବାରମାନେ ଛୁଆ ପିଲା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
ବ୍ଲକ ଛକର ବହୁ ସରକାରୀ ଜାଗାକୁ ଲୋକେ ଜବର ଦଖଲ କରି ରଖିଥିବା ବେଳେ ତାହା ଉଚ୍ଛେଦ ନକରି ତାଙ୍କୁ ଉଚ୍ଛେଦ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ଆଜି ରାଜସ୍ବ ବିଭାଗ, ପୋଲିସ ଓ ପୌରପରିଷଦ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଚ୍ଛେଦ କରିଛନ୍ତି । କ୍ଷତିଗ୍ରସ୍ତ ପରିବାର ମାନଙ୍କୁ ଘର କରି ରହିବା ପାଇଁ ଦୀର୍ଘ ଦିନରୁ ଧୋବା ବାହାଲି ଗାଁରେ ଘରବାରି ଯାଗା ଯୋଗେଇ ଦିଆଯାଇ ଥିଲେ ବି ଏମାନେ ସହରର ମୂଲ୍ୟବାନ ଯାଗା ଜବରଦଖଲ କରି ରହୁଥିଲେ ବୋଲି ରାଜସ୍ବ ବିଭାଗ ସଫେଇ ଦେଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର