ସୁବର୍ଣ୍ଣପୁର: ବେଆଇନ ଗଞ୍ଜେଇ କାରବାର ଉପରେ ଅଂକୁଶ ଲଗାଇବାକୁ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଗତ 15 ଦିନ ଭିତରେ ପାଞ୍ଚୋଟି ଗଞ୍ଜେଇ କାରବାରକୁ ଧରିବାରେ ଜିଲ୍ଲା ପୋଲିସ ସଫଳତା ପାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଜିଲ୍ଲାର ପ୍ରବେଶ ପଥ ଗୁଡିକରେ ପୋଲିସ ଅହୋରାତ୍ର 24 ଘଣ୍ଟା ଗାଡି ମୋଟର ଗୁଡିକ ଯାଞ୍ଚ କରୁଛି । ପଡୋଶୀ ବୌଦ୍ଧ ଜିଲ୍ଲାରେ ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ହେଉଥିବା ବେଳେ ବୌଦ୍ଧରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ଜିଲ୍ଲା ତଥା ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ବିଶେଷକରି ସଦର ସୋନପୁର,ବିନିକା,ତରଭା ଓ ରାମପୁର ଥାନା ଅଞ୍ଚଳ ଦେଇ ମଧ୍ୟପ୍ରଦେଶ, ଛତିଶଗଡ ଆଦି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଓ ବେପାରୀ ମାନେ ଭିନ୍ନ ଭିନ୍ନ ଉପାୟରେ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ କାରବାର କରୁଛନ୍ତି । ବର୍ତ୍ତମାନ ପୋଲିସ ଏଦିଗରେ ବେଶ ସଜାଗ ହୋଇଥିବା ଜଣାପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ