ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣକୁ ନେଇ ଏବେ ଉଠିଛି ବିବାଦ । ଆଗାମୀ ପଞ୍ଚାୟତ ନିର୍ବାଚନ-2022 ପାଇଁ ବେଆଇନ ଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଦଳର ଅଭିଯୋଗ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୂସୂଚିତ ଜନଜାତି ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ କରାଯାଇଛି ।
ତେବେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅନୂସୂଚିତ ଜନଜାତି ଲୋକ ନଥିବା ବେଳେ ଅଧ୍ୟକ୍ଷ ପଦବୀ କିନ୍ତୁ ଅନୂସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ରଖିବା ଆଇନର ବିରୁଦ୍ଧାଚରଣ କରୁଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ଗମ୍ଭୀର ଅଭିଯୋଗ କରିଛି ଯେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୂସୂଚିତ ଜନଜାତି ପ୍ରାର୍ଥୀ ନିର୍ବାଚିତ ହେଲେ ତାଙ୍କ ପତିଆରା ଜାହିର କରିବେ । ତେଣୁ ନିଜର କ୍ଷମତା ଅବ୍ୟବହାର କରି ମନ୍ତ୍ରୀ ଏଭଳି କାମ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା ।
ଦଳ ଆହୁରି କହିଛି, ଜିଲ୍ଲାରେ ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଚାଲିଥିବା ବେଳେ ଅନୂସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ମହିଳା ମାନଙ୍କ ସ୍ଥାନ ସଂରକ୍ଷଣ ବିଜେଡିକୁ ସୁହାଇବା ଭଳି କରାଯାଇଛି । ବିଜେଡି ନେତା ଓ ମନ୍ତ୍ରୀଙ୍କୁ ସୁହାଇବା ପରି ଓ ବିଜେଡି କର୍ମୀମାନଙ୍କ ପତିଆରା ଥିବା ଜାଗାରେ ବିଜେଡି କର୍ମୀମାନେ ଯେପରି ଅନାୟାସରେ ବିଜୟୀ ହେବେ ସେହିଭଳି ସ୍ଥାନ ସଂରକ୍ଷଣ କରି ପ୍ରାରମ୍ଭିକ ତାଲିକା ପ୍ରକାଶ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ତାଲିକାରେ ପଞ୍ଚାୟତିରାଜ ଆଇନ, ଓଡିଶା ପଞ୍ଚାୟତ ସମିତି ଆଇନ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ଓଡିଶା ଜିଲ୍ଲା ପରିଷଦ ଆଇନର ସଂପୂର୍ଣ୍ଣ ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।
ତେବେ ସ୍ଥାନ ସଂରକ୍ଷଣ ନାଁରେ ଜିଲ୍ଲା ପ୍ରଶାସନ ବିଜେଡିକୁ ସୁହାଇବା ପରି କାର୍ଯ୍ୟ କରୁଥିବା କଂଗ୍ରେସ ସାଂଘାତିକ ଅଭିଯୋଗ କରିଛି। ଦଳ କହିଛି ସ୍ଥାନ ସଂରକ୍ଷଣ ଆଇନ ଅନୁସାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ନିର୍ବାଚନ କମିଶନ କାମ କରନ୍ତୁ । ଏନେଇ ଦଳ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଆଜି ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ