ସୁବର୍ଣ୍ଣପୁର: ଉଫୁଲା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଏବଂ ଗ୍ରାମ ପଞ୍ଚାୟତ ଅଧିକାରୀ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗୁରୁବାର ସରପଞ୍ଚ ସଂଘମିତ୍ରା ସାହାଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ଗଗନ ବିହାରୀ ନାଏକ ବ୍ଳକ କାର୍ଯ୍ୟାଳୟ ଆଗରେ କମଳପୁର ଗାଁର ଶତ୍ରୁଘ୍ନଙ୍କୁ ଆକ୍ରମଣ କରିଥିଲେ ।
ଶତ୍ରୁଘ୍ନ ଖମ୍ବେଶ୍ବରୀପାଲି ଗାଁରେ 3 ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା ତିଆରି କରିଥିଲେ । ହେଲେ ତାଙ୍କ ଅଜାଣତରେ ସରପଞ୍ଚଙ୍କ ସ୍ବାମୀ କିଛି ଟଙ୍କା ଉଠେଇ ନେଇଥିଲେ। ଠିକା କାମରୁ ଦୁହିଁଙ୍କ ଭିତରେ ପୂର୍ବରୁ ବଚସା ହୋଇଥିବା ବେଳେ ଗୁରୁବାର ପ୍ରିୟବ୍ରତ ଶତ୍ରୁଘ୍ନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନିଜକୁ ତଥାକଥିତ କଂଗ୍ରେସ ନେତା ବୋଲାଉଥିବା ପ୍ରିୟବ୍ରତକୁ ଗିରଫ କରିବା ପାଇଁ ଶତ୍ରୁଘ୍ନ ପୋଲିସକୁ ଲିଖିତ ଭାବେ ଜଣାଇଛନ୍ତି । ପୋଲିସ ଘଟଣାର ଅନୁସଂଧାନ ଜାରୀ ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ