ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ଲାଇଫ ଲାଇନ କୁହାଯାଉଥିବା ଫୋର ଲେନ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି । ଆଜକୁ ଦୁଇ ବର୍ଷ ହେଲା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମାତ୍ର 2 କିଲୋମିଟର 630 ମିଟର ଫୋର ଲେନ କାର୍ଯ୍ୟ ନିର୍ମାଣ ଏପର୍ଯ୍ୟନ୍ତ ସରିନାହିଁ ।
ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା 11 ଶହ ବଡ ବଡ ଗଛ କାଟି ଦିଆଗଲା । ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ପ୍ରାୟ 30 ମିଟର ଚଉଡା ବିଶିଷ୍ଟ ରାସ୍ତା କାର୍ଯ୍ୟ ନିର୍ମାଣ ପାଇଁ ରାସ୍ତାର ଏକ ପାର୍ଶ୍ବରେ ଥିବା ସମସ୍ତ ବିଦ୍ୟୁତ ପୋଲ ସ୍ଥାନାନ୍ତର ବି କରାଗଲା । ହେଲେ କିଛି ସରକାରୀ ଜମି ଜବରଦଖଲକାରୀଙ୍କୁ ହଟାଇବା ପରେ କିଛି ରୟତି କିସମର ଜମି ଜିଲ୍ଲା ପ୍ରଶାସନ ନିଜ ଅଧିନକୁ ନେଇ ପାରୁନଥିବାରୁ ରାସ୍ତା କାମ ଅଟକି ରହିଛି ।
ତେବେ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରଥମେ ନକରି କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ରାସ୍ତା କାମ ଅଧାପନ୍ତରିଆ ଭାବେ ପଡି ରହିଛି । ଜନଗହଳିପୂର୍ଣ୍ଣ ଏହି ରାସ୍ତାର ପଟାଭାଡିରୁ ଜିଲ୍ଲାପାଳଙ୍କ ଅଫିସ ଦେଇ କୁଞ୍ଜ ହୋଟେଲ ପର୍ଯ୍ୟନ୍ତ ଯିବା ଆସିବାରେ ଲୋକେ ବେଶ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ତେବେ ତୁରନ୍ତ ରାସ୍ତା ସମ୍ପୂର୍ଣ୍ଣ କରିବାକୁ ଜନସାଧାରଣ ଉଭୟ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ଅପରପକ୍ଷରେ ଜମି ଅଧିଗ୍ରହଣ ଆଇନ ଭିତରେ ରୟତ କିସମର ଜମି ଅଧିଗ୍ରହଣ କରାଯାଇ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ