ସୁବର୍ଣ୍ଣପୁର: ସୁବର୍ଣ୍ଣପୁରଜିଲ୍ଲାର ଦୁଇଟି ବିଜ୍ଞାପିତ ପରିଷଦ ଅଞ୍ଚଳ ଓ ଗୋଟିଏ ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି (ଗୁରୁବାର) ତରଭା ଓ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସଦର ସୁବର୍ଣ୍ଣପୁର ପୌର ପରିଷଦ ପାଇଁ ଭୋଟ ଗ୍ରହଣ ହେବ । ସଦର ପୌର ପରିଷଦ ପାଇଁ 15 ଟି ୱାର୍ଡ ପାଇଁ 18 ଗୋଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବା ବେଳେ 17 ହଜାର 750 ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେହିପରି ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ 12 ଗୋଟି ୱାର୍ଡ ଭିତରୁ 9 ଗୋଟି ୱାର୍ଡ ଓ ଅଧ୍ୟକ୍ଷ ଆସନ ପାଇଁ ଭୋଟ ଗ୍ରହଣ ହେବ । ବିନିକାରେ ତିନୋଟି ୱାର୍ଡରେ ତିନି ଜଣ କାଉନସିଲର ଅପ୍ରତିଦ୍ୱନ୍ଦ୍ୱୀ ଘୋଷିତ ହୋଇଛନ୍ତି ।
ସେହିଭଳି ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ 12 ଗୋଟି ୱାର୍ଡ ଓ ଅଧ୍ୟକ୍ଷ ପଦ ଆସନ ପାଇଁ ଭୋଟ ଗ୍ରହଣ ହେବ । ଭୋଟ ଗ୍ରହଣ ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗ୍ରହଣ ଉପକରଣ ସହିତ ସମସ୍ତ ଭୋଟଗ୍ରହଣ କେନ୍ଦ୍ରକୁ ପହଞ୍ଚିଛି ସାରିଛନ୍ତି । ଆସନ୍ତାକାଲି(ଗୁରୁବାର) ଭୋଟ ଗ୍ରହଣ ପରେ 26 ତାରିଖ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ହେଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ବି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ