ସୁବର୍ଣ୍ଣପୁର: ପର୍ବ ପର୍ବାଣୀ ଓ ପ୍ରକୃତିର ବେଶ ନିବିଡ ସମ୍ପର୍କ ରହିଛି । ବିଶେଷକରି ପ୍ରତ୍ୟେକ ପର୍ବ ପର୍ବାଣୀରେ ପ୍ରକୃତି ଜାତ ଦ୍ରବ୍ୟକୁ ବ୍ୟବହାର କରାଯାଇଥାଏ । କେତେବେଳେ ନିର୍ଦ୍ଧିଷ୍ଟ ବୃକ୍ଷର ଫଳ, ପୁଷ୍ପ, ଡାଳ ଓ ପତ୍ରାଦି ବ୍ୟବହାର ହେଉଥିବା ବେଳେ କେତେବେଳେ ବୃକ୍ଷର ଛାଲ, ରସ, ଶୁଖିଲା କାଠ ଆଦିର ବ୍ୟବହାର ଦେଖିବାକୁ ମିଳେ । ତେବେ ଆଉ କିଛି ଦିନ ରହିଲା ଏହିପରି ଏକ ପ୍ରକୃତି ସହ ଜଡ଼ିତ ଗଣପର୍ବ ନୂଆଁଖାଇକୁ ।
ଚାଷୀ ବର୍ଷର ଉତ୍ପାଦିତ ପହିଲି ଶସ୍ୟରୁ ଉତ୍ପନ୍ନ ଚାଉଳକୁ ଅନ୍ନ, କ୍ଷୀରି, ଚୁଡ଼ା ଆଦି ପ୍ରସ୍ତୁତ କରି ନିଜ ଇଷ୍ଟ ଦେବାଦେବୀଙ୍କୁ ନବାର୍ଣ୍ଣ ଅର୍ପଣ କରିଥାଏ । ତେବେ ଏହି ନବାର୍ଣ୍ଣକୁ ଅର୍ପଣ କରିବା ପାଇଁ ଏକ ବିଶେଷ ପ୍ରକାରର ପତ୍ର ବ୍ୟବହାର କରିଥାଆନ୍ତି ସୁବର୍ଣ୍ଣପୁର ବାସୀ । ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଥିବା ବେଳେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସୁବର୍ଣ୍ଣପୁରବାସୀ । ତେବେ ସୁବର୍ଣ୍ଣପୁରରେ ନିଜ ଆରଧ୍ୟଙ୍କୁ ନୈବେଦ୍ୟ ଭାବେ ସମର୍ପଣ କରାଯାଉଥିବା ନବାର୍ଣ୍ଣକୁ ଶାଳ ବା ସର୍ଗି ପତ୍ରରେ ଲାଗି କରାଯାଏ ।
ଅଧିକ ପଢନ୍ତୁ..ପଶ୍ଚିମ ଓଡିଶାର ଗଡ଼ଜାତ ପର୍ବ ନୂଆଁଖାଇ, ଚୌହାନ ଶାସନ କାଳରୁ ପୂଜା ପାଇ ଆସୁଛନ୍ତି ଦେବୀ ମା' ସମଲେଇ
ଐତିହାସିକ ସୁଦାମ ନାଏକ କହିଛନ୍ତି, ‘‘ନୂଆଁଖାଇ ଏକ ଗଣପର୍ବ । ଏହାକୁ ଆମେ ପ୍ରକୃତିକୁ ସମର୍ପିତ ପର୍ବ ବୋଲି ମଧ୍ୟ କହୁ । ଏହି ପର୍ବ ପାଇଁ ସୁବର୍ଣ୍ଣପୁରର ଗଡଜାତରେ ବିଭିନ୍ନ ସଂପ୍ରଦାୟର ଲୋକେ ନୂଆଁଖାଇ ପାଇଁ ଭିନ୍ନ ଭିନ୍ନ ପତ୍ରର ବ୍ୟବହାର କରିଥାଆନ୍ତି । ଗଡ଼ଜାତର ଚୌହାନ ଶାସକମାନଙ୍କ ଇଷ୍ଟଦେବୀ ମା' ସମଲେଇଙ୍କ ପାଖରେ ଶାଳ ବା ସର୍ଗି ପତ୍ରର ବ୍ୟବହାର କରିଥାନ୍ତି । ସେହିପରି ସହରର ଇଷ୍ଟଦେବୀ ମା‘ ସୁରେଶ୍ବରୀ, ଭଗବତୀ, ନାରାୟଣୀ, ଖମ୍ବେଶ୍ବରୀ ଆଦି ପୀଠରେ ବି ସର୍ଗି ପତ୍ରର ବ୍ୟବହାର କରାଯାଇଥାଏ । ଦେବୀପୀଠ ଗୁଡ଼ିକରେ ନବାର୍ଣ୍ଣ ତଥା ସେଦିନର ନୈବେଦ୍ୟ ଭାବେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଓ ଅନ୍ନ ପାଇଁ ସର୍ଗି ପତ୍ରର ଠୁଲା, ଦନା ଓ ଖଲିର ବ୍ୟବହାର କରାଯାଇଥାଏ । ଏହି ପତ୍ରର ବ୍ୟବହାର ଜାତି ବା ସଂପ୍ରଦାୟ ବିଶେଷରେ ଭିନ୍ନ ଭିନ୍ନ ହୋଇଥାଏ । ବ୍ରାହ୍ମଣ ଓ କରଣ ସଂପ୍ରଦାୟର ଲୋକେ ସର୍ଗି ପତ୍ର ବ୍ୟବହାର କରୁଥିବା ବେଳେ ଡୁମ୍ବାଳ, ଚଷା, ତେଲି ଆଦି ସଂପ୍ରଦାୟର ଲୋକେ କୁରେଇ ପତ୍ରର ବ୍ୟବହାର କରିଥାନ୍ତି । ସେହିପରି ଏହି ପର୍ବରେ ସାରୁ ପତ୍ର , କଦଳୀ ପତ୍ର ,ପଲସା ପତ୍ରାଦିର ବ୍ୟବହାର ମଧ୍ୟ ଦେଖିବାକୁ ମିଳେ । ତେବେ ଏଭଳି ଏକ ନିଆରା ଗଣପର୍ବରେ ପତ୍ରର ବ୍ୟବହାର ସମାଜରେ ସବୁ ସଂପ୍ରଦାୟକୁ ଏକତାର ସୁତ୍ରରେ ବାନ୍ଧି ରଖି ପାରିଛି ।’’
ଇଟିଭି ଭାରତ, ସୁବର୍ଣ୍ଣପୁର