ସୁବର୍ଣ୍ଣପୁର: ସଦର ଥାନା ଅନ୍ତର୍ଗତ ବିସିମୁଣ୍ଡା ଗାଁରେ ହୋଇଥିବା ହତ୍ୟାକାଣ୍ଡର କାରଣ ଖୋଜିବାରେ ଲାଗିଛି ପୋଲିସ । ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ମୃତକର ପରିବାର ଲୋକଙ୍କୁ ପଚରାଉଚୁରା କରୁଛି ପୋଲିସ । ଗାଁ ଲୋକଙ୍କ ବୟାନ ଆଧାରରେ ହତ୍ୟାକାରୀ ତୁରନ୍ତ ପୋଲିସ କବଜାରେ ପଡିବ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ତେବେ ଆଶ୍ରମରେ ନିର୍ମାଣ ହେଉଥିବା ମନ୍ଦିରର ଅର୍ଥ ଯୋଗାଡ଼କୁ ନେଇ ବାବାଙ୍କ କିଛି ସମ୍ପର୍କୀୟ ବିରୋଧ କରୁଥିବା ଜଣାପଡିଛି ।
ଗତ ସୋମବାର ରାତିରେ ଶୋଇଥିବା ବେଳେ ବାବାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଗାଁରେ ଥିବା ରାଧାକୃଷ୍ଣ ମଠର ମଠାଧୀଶ କହ୍ନାଇ ଚରଣ ଦାସ ଓରଫ କୃଷ୍ଣଚନ୍ଦ୍ର ଦାସଙ୍କୁ ବେକ କାଟି ହତ୍ୟା କରାଯାଇଥିଲା । ସୁଚନାନୁଯାୟୀ, ବାବା ଦିନ ୧୦ଟା ଯାଏଁ ଉଠି ନ ଥିଲେ । ଏନେଇ ଗ୍ରାମବାସୀ କାହିଁକି ବାବା ଉଠି ନାହାନ୍ତି ବୋଲି ଦେଖିବାକୁ ଯାଇଥିଲେ । ତେବେ ଭିତରକୁ ଯିବା ପରେ ତାଙ୍କ ତଣ୍ଟି କଟା ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସୋନପୁର ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।
ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ପହଂଚି ଘଟଣାର ଛାନଭିନ କରିଛି । ତେବେ ହତ୍ୟାର ପ୍ରକୃତ କାରଣ ଖୋଜିବାରେ ପୋଲିସ ନିଜ ସବୁ ସାମର୍ଥ୍ୟ ଲଗେଇ ଦେଇଛି। ବାବାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ସେ ଦୀର୍ଘ ଦିନ ହେବ ବିଶିମୁଣ୍ଡାର ଏହି ମଠରେ ରହି ଆସୁଥିଲେ। ତେବେ ବାବାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ଲୋକେ ଦାବି କରିଛନ୍ତି। ଅପରପକ୍ଷେ ତଦନ୍ତ ଜାରି ରହିଥିବା ବେଳେ ଖୁବ ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ଏସଡିପିଓ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ