ସୁବର୍ଣ୍ଣପୁର: ଆଜି ଆରମ୍ଭ ହେବାକୁ ଯାଉଛି ପଇଁରୀ ତିହାର । ନୂଆବର୍ଷର ପହିଲାରେ ଦୁଲୁକି ଉଠିବ ସହରର ଭୀମଭୋଇ କଳା ମଣ୍ଡପ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଜମିବ ମଞ୍ଚ । ଢୋଲ, ନିଶାନ, ତାସା, ମହୁରୀ ଆଦିର ଗୁରୁ ଗମ୍ଭୀର ଧ୍ୱନି ସାଙ୍ଗକୁ ଲୋକ ସଙ୍ଗୀତ । ମୂର୍ଚ୍ଚନା ଆଉ ତା ସାଙ୍ଗକୁ ନୃତ୍ୟାଙ୍ଗନା ମାନଙ୍କ ଲୋକ ନୃତ୍ୟର ଅଙ୍ଗଭଙ୍ଗି ମନମୁଗ୍ଧକର କରିବା ପାଇଁ ପଇଁରୀ ବ୍ୟାପକ ଆୟୋଜନ କରିଛି । ଏନେଇ ସୂଚନା ଦେଇଛନ୍ତି ପଇଁରୀ କର୍ତ୍ତୃପକ୍ଷ । ଏହି ମଞ୍ଚରେ ପଶ୍ଚିମଓଡିଶାର ବିଭିନ୍ନ ଲୋକନୃତ୍ୟ ସାଙ୍ଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିବେ ।
ସେହିପରି ରାଜ୍ୟ ବାହାରୁ ବି ଅନେକ ପ୍ରଦେଶର ଲୋକନୃତ୍ୟ ଦଳକୁ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି । ପଶ୍ଚିମ ଓଡିଶାର ରସରକେଳି, ଡାଲଖାଇ, ଚୁଟ କୁଚୁଟା, ବଜାସାଲ, ଆଦିବାସୀ ଲୋକନୃତ୍ୟ ଢାପ, ଛଉ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆୟୋଜନ କରାଯାଇଛି ।
ଏହି ଉତ୍ସବରେ ପ୍ରାୟ 500ରୁ ଅଧିକ କଳାକାରଙ୍କ ସମାଗମ ହେବ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ଲଗାତର ଦୁଇ ବର୍ଷ ପର୍ଯ୍ୟନ୍ତ କୋଭିଡ କଟକଣା ପାଇଁ ପଇଁରୀ ତିହାର ଉତ୍ସବ ବନ୍ଦ ହୋଇଥିବା ବେଳେ ଏଥର ସହରବାସୀ ଏହି ଉତ୍ସବର ଭରପୁର ମଜା ନେବେ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର