ସୁବର୍ଣ୍ଣପୁର: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ ଅପହୃତା ଶିଶୁ କନ୍ୟାକୁ ପୋଲିସ ଉଦ୍ଧାର କରିପାରିଛି । ସହରରୁ ପ୍ରାୟ ୧୨ କିଲୋମିଟର ଦୂର ଅର୍ଜୁନପୁର ଶରଧାପାଲିରୁ ଏହି ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାଟିକୁ ପୋଲିସ ଏକ ବୁଦାମୂଳରୁ ପରିତ୍ୟକ୍ତ ଅବସ୍ଥାର ଉଦ୍ଧାର କରି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ଏହା ଏକ ଶିଶୁ ବିକ୍ରି ମାମଲା ବୋଲି ପୋଲିସ ଅନୁମାନ କରୁଛି ।
ଗତକାଲି ଠାରୁ ପୋଲିସ ଶିଶୁକନ୍ୟାକୁ ହସ୍ତାନ୍ତର କରିଥିବା ଶିଶୁ କନ୍ୟାର ଜେଜେମାଙ୍କୁ ଧରି ବିଭିନ୍ନ ଯାଗାରେ ଚଢାଉ କରିଥିଲା । ଅନେକ ପଚରାଉଚୁରା କରି ସିସିଟିଭି ଯାଞ୍ଚ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିବା ପାଇଁ ତନାଘନା ଆରମ୍ଭ ହୋଇଥିଲା । ତେବେ ଶିଶୁ କନ୍ୟାକୁ ନେଇଥିବା ମହିଳା ଜଣକ ପୋଲିସ ଭୟରେ ଶିଶୁ କନ୍ୟାକୁ ରାସ୍ତା କଡ ଏକ ବୁଦା ମୂଳରେ ପକାଇ ଦେଇଥିବା ପୋଲିସ ଅନୁମାନ କରୁଛି ।
ଶିଶୁ କନ୍ୟା ହସ୍ତାନ୍ତର ମାମଲାରେ ସମ୍ପୃକ୍ତ ପ୍ରସୂତିଙ୍କ ମା’ ଶିଶୁ କନ୍ୟାକୁ ବିକ୍ରି କରିଥାଇ ପାରନ୍ତି ଅବା ପରିବାରର ଅନ୍ୟ ସଦସ୍ୟମାନେ ଏହି ଘଟଣାରେ ସାମିଲ ଥିବା ପୋଲିସ ଅନୁମାନ କରୁଛି । ଅପହରଣକାରୀ ମହିଳାଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ସେପଟେ ଶିଶୁର ସ୍ବାସ୍ଥ୍ୟ ଠିକ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ