ସୁବର୍ଣ୍ଣପୁର: ଶିକ୍ଷା ମଣିଷ ଜୀବନରେ ଗୁରୁତ୍ବପୂର୍ଣ୍ଣ ଅଟେ । ଶିକ୍ଷା ମଣିଷକୁ ବଞ୍ଚିବା ଶିଖାଏ । ତେବେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ନରେନ୍ଦ୍ର ମେହେରଙ୍କ ପୁଣି ଏକ ବଦାନ୍ୟତା ସାମ୍ନାକୁ ଆସିଛି । ବୌଦ୍ଧ ଜିଲ୍ଲାର ଖଇରମାଲ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିର ସୁଧାର ଓ ବିକାଶ ପାଇଁ ନରେନ୍ଦ୍ର ପୁଣି ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦେଢଲକ୍ଷ ଟଙ୍କା ଦାନ କରିଛନ୍ତି । ପୂର୍ବରୁ ସେ ଏହି ବିଦ୍ୟାଳୟକୁ ଲକ୍ଷେ ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରିିଥିଲେ । ସେହିପରି ବିଦ୍ୟାଳୟର ମୁଖ୍ୟ ଫାଟକରେ ଲାଗିଥିବା ଲୁହା ଗ୍ରୀଲ ତିଆରି କରି ଦାନ କରିଥିଲେ।
ସୂଚ଼ନାନୁସାରେ ତାଙ୍କ ପତ୍ନୀ ଅନିତା ମେହେର ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟାଳୟର ସମସ୍ତ ସୁବିଧା ଅସୁବିଧା ନରେନ୍ଦ୍ରଙ୍କ ସହିତ ଆଲୋଚନା କରିଥାନ୍ତି । ତେବେ ନରେନ୍ଦ୍ର ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ଦୂର କରୁଥିବାବେଳେ ତାଙ୍କ ସାଧ୍ୟ ମତେ ବିଦ୍ୟାଳୟର ବିକାଶ ପାଇଁ କାର୍ଯ୍ୟ କରିଥାନ୍ତି ।
ଏପରିକି ଛାତ୍ରଛାତ୍ରୀମାନଙ୍କୁ ସ୍ବାସ୍ଥ୍ୟ ସଚେତନ ହେବା ପାଇଁ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ଅସୁସ୍ଥ ହେଲେ ନରେନ୍ଦ୍ର ସେମାନଙ୍କୁ ଚିକିତ୍ସା ଓ ସେବା ଯୋଗେଇ ଦେଇଥାନ୍ତି । ତେବେ ନରେନ୍ଦ୍ରଙ୍କ ଏହି ବଦାନ୍ୟତା ପାଇଁ ସେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମହଲରେ ପ୍ରିୟ ପାତ୍ର ହୋଇ ପାରିଛନ୍ତି । ଜୀବନରେ ଶିକ୍ଷା ହିଁ ବଞ୍ଚିବାର ଆଧାର ହୋଇଥିବାବେଳେ ଏହି ଶିକ୍ଷାର ମନ୍ଦିରର ବିକାଶ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରୁଥିବା ସେ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ