ସୁବର୍ଣ୍ଣପୁର: ସହରର ଖମ୍ବେଶ୍ବରୀ ମନ୍ଦିରରେ ବିଜେ କରିଛନ୍ତି ଇଷ୍ଟଦେବୀ ମା’ କନକ ଦୁର୍ଗା । ସମଲେଇ ମନ୍ଦିରରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଶେଷ ହେବା ପରେ ଦେବୀ ମା’ଙ୍କ ଶନିବାର ଖମ୍ବେଶ୍ବରୀ ପୀଠରେ ମହାଷ୍ଟମୀ ପୂଜା ହେବ । ଦେବୀ କାଳୀ, ଭୁବନେଶ୍ଵରୀ ଓ ଦେବୀ କନକ ଦୁର୍ଗାଙ୍କୁ ତାନ୍ତ୍ରିକ ଆରାଧନା କରିବା ପରେ ଦେବୀ ମା’ କନକ ଦୁର୍ଗାଙ୍କ ବିଜୟ ଯାତ୍ରା ପାଳନ କରାଯାଏ।
କିମ୍ବଦନ୍ତୀ ଅନୁଯାୟୀ ତାନ୍ତ୍ରିକ ପଦ୍ଧତିରେ ରାଜ ପୁରୋହିତ ଦେବୀ ତ୍ରୟଙ୍କୁ ଆରାଧନା କରିବା ପରେ ଦେବୀ ଭୁବନେଶ୍ଵରୀ ସମଲେଇ ମନ୍ଦିରରେ ଅବସ୍ଥାନ କରିଥିବା ବେଳେ ମହାକାଳୀ ସୁରେଶ୍ବରୀଙ୍କ ପୀଠକୁ ଯାତ୍ରା କରନ୍ତି । ଏନେଇ ଶନିବାର ସହରର ଭଉଣୀମାନେ ଦେବୀ କନକ ଦୁର୍ଗାଙ୍କ ପାଖରେ ପାରମ୍ପରିକ ରୀତିନୀତିରେ ଭାଇ ଜିଉନ୍ତିଆ ପର୍ବ ପାଳନ କରନ୍ତି।
ଦେବୀ ଖମ୍ବେଶ୍ବରୀ ମନ୍ଦିରରେ ସୁବର୍ଣ୍ଣପୁର ମହାରାଜା ଗୃହକୃତ୍ୟ ଚନ୍ଦ୍ରିକା ବିଧି ବିଧାନ ଅନୁଯାୟୀ ଏହି ପର୍ବ ପାଳନ କରାଯିବ । ଦେବୀ ତ୍ରୟଙ୍କ ଏହି ଆରାଧନାରେ ଅନେକ ରହସ୍ୟମୟ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗ ତାନ୍ତ୍ରିକ ପଦ୍ଧତିରେ ହେଉଥିବାରୁ ସୁବର୍ଣ୍ଣପୁର ତନ୍ତ୍ର ପୀଠର ପ୍ରୟୋଗଶାଳା ଭାବେ ପରିଚିତ । ଶ୍ରଦ୍ଧାଳୁମାନେ ବି ତାନ୍ତ୍ରିକ ଦେବୀ କନକ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ବହୁ ଦୂରଦୁରାନ୍ତରୁ।
ରବିବାର ରାତ୍ରିର ଶେଷ ପ୍ରହରରେ ସହରର ଐତିହାସିକ ମହାବଳିଯାତ୍ରା ପାଳନ କରିବା ପାଇଁ ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ