ସୁବର୍ଣ୍ଣପୁର: ଜିଲ୍ଲାର ବିରମହରାଜପୁର ଉପଖଣ୍ଡର ପ୍ରାୟ 6 ଗୋଟି ପଞ୍ଚାୟତର ବିଭିନ୍ନ ଗାଁରେ ପ୍ରତିବର୍ଷ ପରି ଏଥର ବି ଉନ୍ନତ ମାନର କପା ଉତ୍ପାଦନ ହୋଇଛି । ବିଶେଷକରି ଜଟେସିଂହା ପଞ୍ଚାୟତର ଆନନ୍ଦପୁର , ଖମାର , ବଡ଼ ଖମାର ଓ ଚନ୍ଦଲିରେ କପା ଉତ୍ପାଦନ ହୋଇଛି ।
ସେହିପରି ମୂର୍ଷୁଣ୍ଢି ପଞ୍ଚାୟତର ଗୋପପାଲି ,ଦୁରେଇପାଲି ,ମାଣିକପୁର ଓ କେଞ୍ଜିରିଆପାଲି ପଞ୍ଚାୟତର ତେଲିପାଲି ଅର୍ଚଣ୍ଡା ଆଦି ଗାଁର ଚାଷୀମାନେ ଗତ ନଭେମ୍ବର ଶେଷ ସୁଦ୍ଧା ନିଜ ନିଜର କପା ଅମଳ କରି ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି । ଏହି ଉପଖଣ୍ଡରେ ଏଥର ଚାଷୀମାନେ 3 ହଜାର 825 ହେକ୍ଟର କପା ଚାଷ କରିଥିବା ବେଳେ ଜିଲ୍ଲା ସାରା ପ୍ରାୟ 5000ରୁ ଅଧିକ ହେକ୍ଟର ଚାଷ ଜମିରେ କପା ଚାଷ ହୋଇଥିଲା ।ହେଲେ ଚାଷୀମାନେ କପା ବିକ୍ରି ପାଇଁ କୌଣସି ସୁବିଧା ପାଇ ପାରୁ ନାହାଁନ୍ତି । ବିରମହରାଜପୁର ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ କପା ମଣ୍ତି ଖୋଲାଯାଇଛି ।
ଗତବର୍ଷ କପା ବିକ୍ରି ପାଇଁ ଆବଶ୍ୟକ ଗୋଦାମ ଓ ଉପକରଣର ବ୍ୟବସ୍ଥା କରାଯାଇଥିଲା । ହେଲେ କୌଣସି କ୍ରୟ ସଂସ୍ଥା ଚାଷୀଙ୍କ ଉତ୍ପାଦିତ କପା କିଣିବାକୁ ଆସି ନ ଥିଲେ । ଏଥର ବି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବିକ୍ରି ବଟାର ସୁବିଧା ନ ଥିବାରୁ ବାଧ୍ୟ ହୋଇ ଚାଷୀମାନେ ଅତି ଅଳ୍ପ ମୂଲ୍ୟରେ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଚାଷୀମାନେ ଆଜକୁ ମାସେ ହେଲା କପା ଉତ୍ପାଦନ କରି ବିକ୍ରି ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଜଣେଇଛନ୍ତି । ହେଲେ ଏଯାଏଁ ପ୍ରଶାସନ କପା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା କରିପାରି ନଥିବା ଅଭିଯୋଗ ହୋଇଛି । ଯଦି,କିଛି ପଦକ୍ଷେପ ନ ନିଆଯାଏ ତେବେ ପ୍ରତିବର୍ଷ ପରି ଏଥର ବି ଚାଷୀ ଅଭାବୀ ବିକ୍ରିର ଶିକାର ହେବେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ