ସୁବର୍ଣ୍ଣପୁର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠ ପାତାଳୀ ଶ୍ରୀକ୍ଷେତ୍ର। ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲାଇର ତ୍ରୀକୁଟ କନ୍ଦର କାହିଁ କେତେ ଦିନରୁ ଶ୍ରୀ ଜଗନ୍ନାଥଙ୍କ ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚୟ ପାଇଛି ।ଏହି ପୀଠରେ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ଶତାଧିକ ବର୍ଷ ଧରି ନିଜର ଗୁପ୍ତ ଲୀଳା କରିଥିଲେ। ଜନମାନବ ଶୂନ୍ୟ ଘୋର ଅରଣ୍ୟାଦି ଭିତରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଥାଏ ଏହି ପୀଠରେ ।
ଭକ୍ତର ଭଗବାନ । ଭକ୍ତର ମନୋକାମନା ପୂରଣ ପାଇଁ ଅତୀତରେ ଶ୍ରୀମନ୍ଦିରରୁ ଶ୍ରୀ ଜଗନ୍ନାଥ ବିଭିନ୍ନ ସମୟରେ ବାହାରି ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । କେବେ ନୀଳ ଜଳରାଶି ଘେରା ଚିଲିକା କୁଦରେ ତ କେବେ ଘୋର ଜଙ୍ଗଲ ଭିତରେ। ସେହିପରି ଶ୍ରୀଜଗନ୍ନାଥ ଦେବୀ ଶୁଭଦ୍ରା ଓ ଭାଇ ଶ୍ରୀ ବଳଭଦ୍ରଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲାଇର ତ୍ରୀକୂଟ କନ୍ଦରରେ ଗୁପ୍ତଲୀଳା କରିଥିବାର ଐତିହାସିକ ସତ୍ୟତା ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରତ୍ନତାତ୍ତ୍ବିକ ବିଭବରେ ଭରପୁର ଏହି ପୀଠକୁ ସ୍ବତଃ ହଜାର ହଜାର ଶ୍ରଦ୍ଧାଳୁ ଟାଣି ହୋଇ ଆସୁଛନ୍ତି ।
ଏହି ପାବନ ପୀଠରେ ଶ୍ରୀଜଗନ୍ନାଥ 144 ବର୍ଷ ଧରି ନିଜର ଗୁପ୍ତ ଲୀଳା କରିଥିବାର ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଛି । ପ୍ରମାଣ ସ୍ବରୁପ ପାତାଳୀ ଶ୍ରୀକ୍ଷେତ୍ରର ମାଧବ ଗୁମ୍ପାରେ ଏବେ ବି ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଉତିର୍ଣ୍ଣ ହୋଇଥିବା ଦେଖିବାକୁ ମିଳେ ।ଏହି ପୀଠକୁ ଶ୍ରୀମନ୍ଦିର ପ୍ରଶାସନ ପରିଦର୍ଶନ କରି ଶ୍ରୀ ଜଗନ୍ନାଥଙ୍କ ଅନ୍ୟତମ ଲୀଳାଭୂମୀ ଭାବେ ସ୍ବୀକୃତି ପ୍ରଦାନ କରିଛି । କେନ୍ଦ୍ର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କମିଟି ପରିଦର୍ଶନ କରି ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରତ୍ନତାତ୍ତ୍ବିକ ବିଭବ ଥିବା ପ୍ରମାଣ କରିଛି । ଶ୍ରୀ ମନ୍ଦିର ପ୍ରଶାସନ ଚତୁର୍ଦ୍ଧା ଦାରୁ ବିଗ୍ରହ ପ୍ରଦାନ କରିଛନ୍ତି ଯାହା ଛଳିଆ ପାହାଡର ଶ୍ରୀମନ୍ଦିରରେ ପ୍ରତିଷ୍ଠା ହୋଇଛି ।
ମାଧବ ଗୁମ୍ପାକୁ ବାଦ ଦେଲେ ଏହି ପୀଠରେ ରହିଛି ଛୋଟବଡ 27ଟି ପ୍ରାକୃତିକ ପ୍ରାଚୀନ ଗୁମ୍ପା ।ରାଣୀ ଗୁମ୍ପା ,ଜଗନ୍ନାଥ ଗୁମ୍ପା ,ଧ୍ବନି ଗୁମ୍ପା ଆଦିର ଅଲଗା ଅଲଗା ବିଶେଷତ୍ବ ରହିଛି । ପ୍ରତିଟି ଗୁମ୍ପାକୁ ଏକ ସଂକୀର୍ଣ୍ଣ ରାସ୍ତା ଥିବା ବେଳେ ଦେଢ କୋଶ ଯାଏଁ ଲମ୍ବିଛି ଏସବୁ ରହସ୍ୟମୟ ଗୁମ୍ପା ବୋଲି୍ ପ୍ରତ୍ନତାତ୍ତ୍ବିକ ଗବେଷଣାରୁ ଜଣାଯାଏ ।ଏଇଠି ଜନଶୃତିରେ ରହିଛି ମେଘନାଦ ପାଚେରୀ ,ଦାରୁକୋଣ ,କଳ୍ପବଟ ,ଧ୍ବଜାବନ୍ଧା ଶିଖର ଅନେକ କିଛି ।ଏହି ପୀଠର ବିଶେଷତ୍ବ ଯାହା ଥାଉ ନା କାହିଁକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବର୍ଷସାରା ଭକ୍ତ ଓ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି ।
ଏଇ ପାବନ କ୍ଷେତ୍ରରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠାରେ ଆଦ୍ୟ ସେବକ ପୁରୀ ଗଜପତି ଦିବ୍ୟସିଂହ ଦେବ ନିଜକୁ ସାମିଲ କରି ଜଗନ୍ନାଥ ସଂସ୍କୃତିର ଅନନ୍ୟ କ୍ଷେତ୍ରର ମାନ୍ୟତା ଦେଇଛନ୍ତି ।ଏଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରକୁ ବୁଲି ଦେଖି ବିଭୂ ଦର୍ଶନ କଲେ ଭରପୁର ଆନନ୍ଦ ମିଳିଥାଏ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ