ସୁବର୍ଣ୍ଣପୁର: ସଙ୍କଟରେ ଜୀବିକା । କୋରୋନା ଲକଡାଉନରେ ସବୁ ଲକ ହୋଇପଡିଛି । ସରକାରଙ୍କ କଥା ମନି ପଦାକୁ ସିନା ବାହାରୁ ନାହିଁନ୍ତି, କିନ୍ତୁ ଘର ଚଳେଇବା ମୁସ୍କିଲ ହୋଇପଡିଛି । ତେଣୁ ସୁବର୍ଣ୍ଣପୁରର ମୋଟର ଚାଳକ ସଂଘ ପ୍ରଶାସନ ନିକଟରେ ନିଜ ଦାବି ଜଣାଇଛନ୍ତି ।
ଲକଡାଉନ ଘୋଷଣା ହେବା ପର ଠାରୁ ଟ୍ୟାକ୍ସି ଚଳାଚଳ ବନ୍ଦ ରହିଥିବାରୁ ମାଲିକମାନ କ୍ଷତିଗ୍ରସ୍ତ ହେବା ସହ ଡ୍ରାଇଭରମାନେ ବି ମଜୁରୀ ପାଉନାହାଁନ୍ତି । ଫଳରେ ଡ୍ରାଇଭରମାନଙ୍କ ଜୀବନ ଜୀବିକା ସଙ୍କଟରେ ପଡିଯାଇଛି । ନିଜର ଦୈନନ୍ଦିନ ପାରିବାରିକ ଖର୍ଚ୍ଚରେ ବି ସମସ୍ୟା ସୃଷ୍ଟି ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ବରୀ ପାଲି ଶାଖା ଜିଲ୍ଲା ପ୍ରଶାସନ ପାଖରେ ନିଜର ଦାବି ରଖିଛନ୍ତି ।
ଜିଲ୍ଲାରେ କଡାକଡି ଭାବେ ଲକଡାଉନ ନିୟମ ପାଳନ କରାଯାଉଥିବାରୁ ଗାଡି ଗୁଡିକ ଟ୍ୟାକ୍ସି ଷ୍ଟାଣ୍ଡରେ ଠିଆ ହୋଇ ରହିଛି । ଡ୍ରାଇଭରମାନେ ଘୋର ଆର୍ଥିକ ସଙ୍କଟରେ ଗତି କରୁଥିବାରୁ ଜିଲ୍ଲା ପ୍ରଶାସନକୁ କୋଭିଡ-19 ଲକଡାଉନ ସମୟରେ ପରିବାର ପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ