ସୁବର୍ଣ୍ଣପୁର: ଜିଲ୍ଲା ବଲୀପାଲି ଗାଁର କହ୍ନେଇ ପଟନିଆ । ଯିଏକି ଜଣେ ଦଣ୍ଡ ନୃତ୍ୟ ନିର୍ଦ୍ଦେଶକ , ଅଭିନେତା ଓ ଗୀତିକାର । ଆଜିର ଦିନରେ ଲୋକେ ଦଣ୍ଡନୃତ୍ୟ ଦେଖିବାକୁ ମନବଳାଉନଥିବାବେଳେ ତାଙ୍କର ନିଖୁଣ ଅଭିନୟ ଲୋକଙ୍କୁ ଦଣ୍ଡନୃତ୍ୟ ପ୍ରତି ଆକୃଷ୍ଟ କରୁଛି । ଷୋହଳ ସୁଆଙ୍ଗ ଦଣ୍ଡନୃତ୍ୟର ଶବର-ଶବରୀ, ଶାଳୀ-ଭିଣୋଇ, ସଉରା-ସଉରାଣୀ ଠାରୁ ଆରମ୍ଭ କରି ଗୁଟକି ବାଇଧନ ଓ ମିକ୍ସଚର ଦଣ୍ଡର ସବୁ ଚରିତ୍ରମାନଙ୍କ ଗୀତ ଲେଖିବା, ନିର୍ଦ୍ଦେଶନା ଦେବା ତଥା ରାଧା ଚରିତ୍ରରେ ଅଭିନୟ କରିବା ତାଙ୍କର ନିଶା । ବୃତ୍ତିରେ କହ୍ନେଇ ଜଣେ ଚାଷୀ ହୋଇଥିବାବେଳେ ନିଶା ତାଙ୍କର ଅଭିନୟ ।
ଦଣ୍ଡନୃତ୍ୟରେ ରାଧା ଚରିତ୍ରରେ ଅଭିନୟ କରି କହ୍ନେଇ ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ ସ୍ଥାନରେ ଉଚ୍ଚ ପ୍ରଶଂସିତ ହେବା ସହିତ ଅନେକ ମାନପତ୍ର ପାଇ ସମ୍ମାନୀତ ହୋଇଛନ୍ତି । ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଥିବା ଏହି କଳାକାର ଓଡିଆ ଭାଷା ଓ ସାହିତ୍ୟ ଉପରେ ବେଶ ଜ୍ଞାନ ଆହରଣ କରିଛନ୍ତି । ଅନେକ ଦଣ୍ଡ ସାଂସ୍କୃତିକ ଅନୁଷ୍ଠାନ ତାଙ୍କର ଲେଖନୀ ଗୀତଗୁଡିକୁ ଦଣ୍ଡମଞ୍ଚରେ ପରିବେଷଣ କରି ଦେଖଣାହାରୀଙ୍କ ଭିତରେ ପ୍ରିୟ ଭାଜନ ହୋଇ ପାରିଛନ୍ତି । ହେଲେ ଏହି କଳାକାରଙ୍କ ପ୍ରତିଭା ଆଜିଯାଏଁ ଜିଲ୍ଲା ସଂସ୍କୃତି ବିଭାଗ ଚିହ୍ନି ପାରି ନ ଥିବାବେଳେ କହ୍ନେଇଙ୍କୁ ଏଯାଏଁ ଏକ ମଞ୍ଚ ପ୍ରଦାନ କରିପାରିନାହିଁ । ସେହିପରି ଆଜିଯାଏଁ କହ୍ନେଇଙ୍କ ଭାଗ୍ୟରେ ସରକାରଙ୍କ କଳାକାର ଭତ୍ତା ପରି ଏକ ଆର୍ଥିକ ସହଯୋଗ ମଧ୍ୟ ପହଞ୍ଚି ପାରିନାହିଁ । ତେବେ ବଣ ମଲ୍ଲି ବଣରେ ଫୁଟି ମଉଳି ନ ଯାଏ ଯେପରି ସେ ଦିଗରେ ଜିଲ୍ଲା ସଂସ୍କୃତି ବିଭାଗ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ