ସୁବର୍ଣ୍ଣପୁର: ଜିଲ୍ଲା ପାର୍ଶ୍ବ ପ୍ରବାହିତ ମହାନଦୀର ରାମେଶ୍ବର ଘାଟରୁ ଚାଲିଛି ଜୋରଦାର ବେଆଇନ ବାଲି ଉତ୍ତୋଳନ । ଯାହା ପ୍ରାଚୀନ ମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାରକୁ ଦାବି କରିଛି ଜିଲ୍ଲା ବିଜେପି ।
ବାଲିଘାଟ ରାଜସ୍ବ ବିଭାଗ ପକ୍ଷରୁ ନିଲାମ ହୋଇନାହିଁ । ବିଳମ୍ବିତ ରାତିରେ ଘାଟରୁ ଚୋରାରେ ଟ୍ରକ ଟ୍ରକ ବାଲି ଚାଲାଣ ହେଉଛି । ମାତ୍ର ଏ ଦିଗରେ କୌଣସି ପ୍ରଶାସନିକ ପଦକ୍ଷେପ ନିଆଯାଇ ନାହିଁ ବୋଲି ଅଭିଯୋଗ କରିଛି ବିଜେପି । ଚୋରା ବାଲି ଚାଲାଣ ପ୍ରାଚୀନ ମନ୍ଦିର ଉପରେ ବିପଦ ଆଣିଛି । ପ୍ରାଚୀନ ମନ୍ଦିରର ସୁରକ୍ଷା ପାଇଁ ଜଳସେଚନ ବିଭାଗ ବନ୍ୟା ପ୍ରଭାବକୁ ରୋକିବା ପାଇଁ ବନ୍ଧ ନିର୍ମାଣ କରୁଥିବା ବେଳେ ମହାନଦୀ ଭିତରୁ ବ୍ୟାପକ ମାତ୍ରରେ ବାଲି ଚୋରା ଚାଲାଣ ମନ୍ଦିର ପରିସରକୁ ଦୁର୍ବଳ କରିବାକୁ ବସିଛି । କେତେବେଳେ ଯେ ତେଲନଦୀ କୂଳରେ ଥିବା ପ୍ରାଚୀନ କାଲେଶ୍ବର ମନ୍ଦିର ପରି ଶ୍ରୀରାମେଶ୍ବର ପୀଠ ମହାନଦୀ ଗର୍ଭରେ ବିଲୀନ ହୋଇ ପଡିବ କହି ହେବନାହିଁ ।
ତେବେ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ବେଆଇନ ବାଲିଘାଟ ଉପରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସଦର ତହସିଲଦାର ବାଲି ବୋଝେଇ ଟ୍ରାକ୍ଟରଗୁଡିକୁ ଜବତ କରି ଫାଇନ ବି ଆଦାୟ କରୁଛନ୍ତି । ହେଲେ ଅମାନିଆକୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ଦେଖିବାକୁ ମିଳୁଛି । ମୋଟା ଅଙ୍କର ଫାଇନ ଆଦାୟ କରିବା ସହିତ ବାଲିଘାଟରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଗଲେ ଏହି ବାଲି ଚୋରାଚାଲାଣ ରୋକାଯାଇ ପାରିବ ବୋଲି ସାଧାରଣରେ ଦାବି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ