ସୁବର୍ଣ୍ଣପୁର: ଜିଲ୍ଲାରେ ଚାଲିଛି ବାଲି ମାଫିଆଙ୍କ ରାଜ୍ । ମାଫିଆ ମାନେ ଖୋଲାଖୋଲି ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି । ଦୁରଦୁରା ଗାଁରେ ଥିବା ମହାନଦୀ ପଠାରୁ ବାଲି ପ୍ରତିଦିନ ଶହ ଶହ ଟିପର ଯୋଗେ ବାଲି ପଡୋଶୀ ଜିଲ୍ଲା ଗୁଡିକୁ ଚୋରାଚାଲାଣ ହେଉଛି । ଜେସିବି ମେସିନ ସହାୟତାରେ ହାଇୱା ଯୋଗେ ପ୍ରତିଦିନ ଶହ ଶହ ଟ୍ରିପ ଚୋରା ଚାଲାଣ ହେଉଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି ।
ବିନା ଟେଣ୍ଡରେ ବେଆଇନ ଭାବେ ମାସ ମାସ ଧରି ଏହି ଚୋରାଚାଲାଣ ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ କିନ୍ତୁ ଚୁପ ରହିଛି । ଫଳରେ ବାଲିମାଫିଆ ମାଲେମାଲ୍ ହେଉଥିବା ଅଭିଯୋଗ ହେଉଛି । ଶହ ଶହ ଟ୍ରକ ବାଲି ଚୋରି ହେଲେବି ପ୍ରଶାସନ ଚୁପ୍ ରହୁଥିବା ଅଭିଯୋଗ ହେଉଛି । ବିରମହାରାଜପୁର ତହସିଲ ଅଞ୍ଚଳରେ ଥିବା ଦୁରଦୁରାର ୨ଟି ବାଲିଘାଟ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଟେଣ୍ଡର ପ୍ରକ୍ରିୟାରେ ୫ ଜଣ ଭାଗ ନେଇଥିବା ବେଳେ ବର୍ତ୍ତମାନ ଏହି ନିଲାମ ହାଇକୋର୍ଟରେ ଷ୍ଟେ ରହିଛି । ଅପରପକ୍ଷେ ଚୋରା ଚାଲାଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ମନୀଷା ବନାର୍ଜୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ