ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ଚାରିଆଡେ ଖାଲି ପାଣି। ତେବେ ରବିବାର ମଧ୍ୟରାତ୍ରିରୁ ହୋଇଥିବା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଭୁତିଆପାଲି ନିକଟରେ ଥିବା ଘୁଂଘିଯୋର ଉପରେ 4 ଫୁଟ ଉଚ୍ଚର ପାଣି ଚାଲୁଛି। ଯାହାଫଳରେ ବୀରମହାରାଜପୁର ବ୍ଲକ ସଦର ମହକୁମାରୁ ସମସ୍ତ 50ଟି ମୌଜା ସହିତ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହିସବୁ ପଞ୍ଚାୟତଗୁଡିକ ହେଲା ଲୁତୁରପଙ୍କ, ବହଳପଦର, ଦୁର୍ଜନତଇଲା, ଖଣ୍ଡହତା ଇତ୍ୟାଦି।
ସେହିଭଳି ବୀରମହାରାଜପୁରରୁ ରେଢାଖୋଲ ଏବଂ ଚାରମାଳଦେଇ ସମ୍ବଲପୁରକୁ ମଧ୍ୟ ଗମନାଗମନ ବାଧପ୍ରାପ୍ତ ହୋଇଛି । ସୋମବାର ସକାଳରୁ ଘୁଂଘିଯୋର ଉପରେ ପାଣି ଚାଲୁଥିବାରୁ ରାସ୍ତାର ଉଭୟ ପଟରେ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି ।
ପ୍ରତିଦିନ ବୀରମହାରାଜପୁର ଉପଖଣ୍ଡର ଦୈନିକ ବଜାର ଓ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ଆଉ ବୀରମହାରାଜପୁର ସହରକୁ ଆସି ପାରିନାହାନ୍ତି । ସେହିପରି ପ୍ରତିଦିନ ବୀରମହାରାଜପୁର ଉପଖଣ୍ଡର ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ନିରାଶ ହୋଇ ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଛି ।
ଦୀର୍ଘ ଦିନରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାରେ ଥିବା ଘୁଂଗିଯୋର ପୋଲକୁ ଉଚ୍ଚ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି। ଲଗାଣ ବର୍ଷା ହେଲେ ପୋଲ ଉପରେ ପାଣି ଚାଲୁଥିବାରୁ ଗମନା ଗମନ ସବୁ ସମୟରେ ବାଧା ପ୍ରାପ୍ତ ହେଉଛି। ତେଣୁ ଘୁଂଘିଯୋର ପୋଲକୁ ଉଚ୍ଚ କରିବା ପାଇଁ ସାଧାରଣରେ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ