ସୁବର୍ଣ୍ଣପୁର: ସାପ କାମୁଡାରେ ମଉଳିଗଲା କଅଁଳ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୟୂରଡାନ ଗାଁରେ ବିଷଧର ସାପ କାମୁଡାରେ ଜଣେ ପାଞ୍ଚ ବର୍ଷୀୟ ଛୋଟ ଛୁଆର ଶନିବାର ମୃତ୍ୟୁ ହୋଇଛି । ମୃତକ ହେଉଛି ମୟୂରଡାନ ଗାଁର ବଞ୍ଛୁରଙ୍କ ଝିଅ ଜୁବାନୀ । ଛୁଆଟିର ଏଭଳି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁଯାୟୀ, ଶନିବାର ଜୁବାନୀ ଘରେ ଶୋଇଥିବା ସମୟରେ ତାଙ୍କ ଗୋଡକୁ ଗୋଟିଏ ବିଷଧର ସାପ କାମୁଡି ଦେଇଥିଲା । ସେ ଘରେ ବାପା ମାଆଙ୍କୁ କିଛି ଗୋଟିଏ ଜୀବ କାମୁଡି ଦେଇଥିବା କହିଥିଲା । ତେବେ ଘରେ କୌଣସି ଜୀବ ଅଛି କି ନାହିଁ ବୋଲି ଖୋଜିବା ସମୟରେ ଏକ ବିଷଧର ସାପ ଘରୁ ବାହରକୁ ଯାଉଥିବା ଘର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଝିଅକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଡାକ୍ତର ଝିଅଟିର ସ୍ବାସ୍ଥ୍ୟ ପରୀକ୍ଷା କରି ଦେଖିବା ପରେ ତାକୁ ମୃତ ଘୋଷଣା କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ